ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ଆପରାଧିକ ରେକର୍ଡ ପ୍ରକାଶ କର, ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ହ୍ରାସ କରିବା ଦିଗରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ସବୁ ରାଜନୈତିକ ଦଳ ନିଜ ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ସେମାନଙ୍କ ଆପରାଧୀକ ରେକର୍ଡ ପ୍ରକାଶ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କ୍ଷମତାର ଅପବ୍ୟବହାର ରୋକିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ହାଇକୋର୍ଟଙ୍କ ଅନୁମତି ବିନା କୌଣସି ରାଜ୍ୟ ସରକାର ନିଜ ବିଧାୟକ ଏବଂ ସାଂସଦ ମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ ।

ଗତବର୍ଷ ଫେବୃୟାରୀରେ ବିହାର ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ନିଜ ମନୋନୟନର ୪୮ ଘଣ୍ଟା ଭିତରେ କିମ୍ବା ନାମାଙ୍କନ ଦାଖଲର ଦୁଇ ସପ୍ତାହ ପୂର୍ବରୁ ନିଜ ଆପରାଧିକ ତଥ୍ୟ ଦାଖଲ କରିବାକୁ ପଡ଼ିବ । ସୁପ୍ରିମକୋର୍ଟ ତାଙ୍କର ଏହି ରାୟରେ ସଂଶୋଧନ କରି ଏହି ସମୟସୀମା ୪୮ ଘଣ୍ଟାକୁ ହ୍ରାସ କରିଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦଳ ନିଜ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ତଥ୍ୟ ପ୍ରକାଶ କରୁନାହିଁ, ସେହି ଦଳ ଗୁଡ଼ିକର ଚିହ୍ନ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଥିଲା । ଏଭଳି କ୍ଷେତ୍ରରେ ଦଳ ଗୁଡିକ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବା ଉଚିତ ବୋଲି ମଧ୍ୟ ଯୁକ୍ତି କରାଯାଇଥିଲା ।

Comments are closed.