ଦୁର୍ବଳ ମୌସୁମୀ ଯୋଗୁଁ ଧାରା ଶ୍ରାବଣରେ ବର୍ଷା ଉଭାନ, ରାଜ୍ୟରେ ଏ ଯାଏଁ ୩୦ ପ୍ରତିଶତ କମ୍ ବର୍ଷା

ଭୁବନେଶ୍ୱର- ଧାରା ଶ୍ରାବଣରେ ଗ୍ରୀଷ୍ମର ଖରା ଓ ଗୁଳୁଗୁଳି । ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ନିଅଂଟିଆ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୨୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଭଦ୍ରକ, ବଲାଙ୍ଗିର, ଗଜପତି ଓ ଯାଜପୁରରେ ଏ ଥର ସବୁଠାରୁ କମ୍ ବର୍ଷା ହୋଇଥିବା ସୂଚନା ମିଳିଛି । ଜୁନ ୧ଠାରୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ ୩୦ ପ୍ରତିଶତ କମ୍ ରହିଛି । ବର୍ତ୍ତମାନ ସୁଦ୍ଧା ୬୯୮ ମି.ମି ବର୍ଷା ହେବା କଥା । ହେଲେ ଏ ଯାଏଁ ୪୯୪ ମି.ମି ବର୍ଷା ହିଁ ହୋଇଛି ।

୨୨ଟି ଜିଲ୍ଲାରେ ସ୍ୱାଭାବିକ ହାରଠାରୁ କମ୍ ବର୍ଷା ହୋଇଥିବା ବେଳେ ୮ଟି ଜିଲ୍ଲାରେ ଏହା ସ୍ୱାଭାବିକ ରହିଛି । ଭଦ୍ରକ, ବଲାଙ୍ଗୀର, ଗଜପତି ଓ ଯାଜପୁରରେ ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଛି । ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁରରେ ବି ନିଅଂଟିଆ ବର୍ଷା ଚିନ୍ତା ବଢାଇଛି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ । କିନ୍ତୁ ରାଜ୍ୟରେ ଏହାର ପ୍ରଭାବ ଏତେମାତ୍ରାରେ ରହିବ ନାହିଁ ।

Comments are closed.