ଶ୍ରୀକ୍ଷେତ୍ରର ଐତିହ୍ୟ : ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ

ପୁରୀ : ବଡ଼ଦାଣ୍ଡର ମଧ୍ୟସ୍ଥଳ ପୁରୀ ମ୍ୟୁନିସିପାଲିଟି ମାର୍କେଟ ନିକଟରେ ରହିଛି ଶ୍ରୀକ୍ଷେତ୍ରର ଐତିହ୍ୟ ସ୍ଥଳ ଶ୍ରୀଜଗନ୍ନାଥ ବଲ୍ଲଭ ମଠ । ନରେନ୍ଦ୍ରକୋଣ ଛକରୁ ଶ୍ରୀମନ୍ଦିର ଯିବା ରାସ୍ତାର ଦକ୍ଷିଣ ପଟରେ ରହିଛି ଏହି ଐତିହାସିକ ମଠ। ବ୍ରିଟିଶ ଅମଳର ନଥିପତ୍ରରେ ଉଲ୍ଲେଖ ରହିଛି ଏହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ନାମରେ। ଅନେକ ଇତିହାସର ମୂକସାକ୍ଷୀ ଏହି ପବିତ୍ର ମଠ ।

ପଞ୍ଚଦଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ପ୍ରମୁଖ ମନ୍ତ୍ରୀ ତଥା ଦାକ୍ଷିଣ ରାଜମହେନ୍ଦ୍ରୀର ରାଜ୍ୟପାଳ ତଥା ରସିକ ଭକ୍ତ ରାୟ ରାମାନନ୍ଦଙ୍କ ଏହାଥିଲା ନିବାସ ସ୍ଥାନ। ସମ୍ଭବତଃ ରାୟ ରାମାନନ୍ଦ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟରେ ଦୀକ୍ଷିତ ହୋଇ ଥିବାରୁ ଏହି ମଠଟି ବିଷ୍ଣୁସ୍ୱାମୀ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଅଟେ। ଏହି ସ୍ଥାନଟି ତତ୍କାଳୀନ ସମୟରେ ଏକ ସୁନ୍ଦର ପୁଷ୍ପ ଉଦ୍ୟାନ ଥିଲା। ଏହି ଉଦ୍ୟାନରୁ ତୁଳଶୀ ଓ ସୁଗନ୍ଧ ପୁଷ୍ପ ଚୟନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗୁଥିଲା। ତେଣୁ ଏହାକୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ କହିବାରେ କୌଣସି ବାଧା ନାହିଁ।

ଏହି ପବିତ୍ର ଉଦ୍ୟାନରେ ଶ୍ରୀରାଧାକୃଷ୍ଣଙ୍କ ମିଳିତ ଅବତାର ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସହିତ ରାୟ ରାମାନନ୍ଦ ଭକ୍ତିର ଅନେକ ଗୂଢ ତତ୍ତ୍ୱ ଉପରେ ଆଲୋଚନା କରିଥିଲେ। ରାୟ ରାମାନନ୍ଦଙ୍କ ପାଣ୍ଡିତ୍ୟରେ ଶ୍ରୀମନ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀରାଧା ତତ୍ତ୍ୱର ଅନେକ ଗୂଢ ରହସ୍ୟକୁ ହୃଦୟଙ୍ଗମ କରିପାରିଥିଲେ। ଏହି ସ୍ଥାନରେ ରାୟ ରାମାନନ୍ଦଙ୍କ ପ୍ରସିଦ୍ଧ ଭକ୍ତି ସମୃଦ୍ଧ ନାଟକ ‘ଶ୍ରୀଜଗନ୍ନାଥ ବଲ୍ଲଭ’ ରଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମଠର ସିଦ୍ଧ ମହନ୍ତ ଥିଲେ ଭୁତନାଥ ସ୍ୱାମୀ। ଯିଏ ସ୍ଵର୍ଣ୍ଣ କଠଉ ଓ ସ୍ୱର୍ଣ୍ଣ ଛତ୍ରୀ ଧାରଣ କରି ଯାତାୟାତ କରୁଥିଲେ। ମଠଟି କହିବାକୁ ଗଲେ ବଡ଼ ସମୃଦ୍ଧି ଶାଳୀ ମଠ ଥିଲା

ଉକ୍ତ ଜଗନ୍ନାଥ ବଲ୍ଲଭ ମଠଟି ଶ୍ରୀମନ୍ଦିରର ଅନେକ ନୀତିକାନ୍ତି ସହିତ ଜଡିତ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ବିଭିନ୍ନ ଯାନି ଯାତ୍ରାରେ ଏହି ମଠକୁ ବିଜେ କରିଥାନ୍ତି। ଜନ୍ମାଷ୍ଟମୀ, ରାମ ନବମୀ, ଚନ୍ଦନ ଯାତ୍ରାରେ ପରି ଅନେକ ନୀତିରେ ଏହି ମଠର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଶ୍ରୀଜୀଉଙ୍କ ନବକଳେବର ସମୟରେ ଏହି ମଠରୁ ହିଁ ବନଯାଗ ଯାତ୍ରା ଆରମ୍ଭ ହୋଇଥାଏ।

ଏହି ମଠର ସେବିତ ବୀଗ୍ରହ ହେଉଛନ୍ତି ଚତୁର୍ଭୁଜ ଶ୍ରୀକୃଷ୍ଣ। ଯାହାଙ୍କ ମସ୍ତକରେ ସର୍ପ ରହିବା ସହିତ ଦୁଇ ଭୁଜରେ ଶଙ୍ଖ ଚକ୍ର ଓ ଅନ୍ୟ ଦୁଇ ଭୁଜରେ ମୁରଲୀ ଧାରଣ କରିଛନ୍ତି। ତାଙ୍କ ଦୁଇ ପାର୍ଶ୍ଵରେ ରୁକ୍ମିଣୀ ଓ ସତ୍ୟଭାମା ବିରାଜିତ ଅଛନ୍ତି। ଏହାସହ ମଣିମୟ ଚତୁର୍ଦ୍ଧା ବିଗ୍ରହ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଛନ୍ତି। ମଧ୍ୟରେ ରାୟ ରାମାନନ୍ଦ ଓ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଦାରୁ ବିଗ୍ରହ ରହିଛି। ମଠର ଦୟାଣା ଚୋରି ବଗିଚା ନିକଟରେ ହନୁମାନ ବିରାଜମାନ କରିଛନ୍ତି। ଅନେକ ନୀତିରେ ଶ୍ରୀମନ୍ଦିର ରୁ ଏହି ହନୁମାନଙ୍କ ପାଇଁ ଶ୍ରୀଜୀଉଙ୍କ ଆଜ୍ଞା ମାଳ ବିଜେ ହୋଇଥାଏ। ମଠ ମଧ୍ୟରେ ରହିଛି ଶ୍ରୀଜୀଉଙ୍କ ବେଣ୍ଟ ମରା ପୋଖରୀ।

ଏପରି ଏକ ଐତିହ୍ୟ ବହନ କରୁଥିବା ପ୍ରାଚୀନ୍ନ ପୀଠର ସମୁଚିତ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ପରମ କର୍ତ୍ତବ୍ୟ ହେବା ଜରୁରୀ।

Comments are closed.