ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ବଳଗଣ୍ଡି ଛକ ନିକଟରେ ରହିଛି ଭକ୍ତ ସାଲବେଗଙ୍କ ସମାଧି ପୀଠ। ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପବିତ୍ର ସ୍ମୃତି ପୀଠ ପାଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କିଛି ସମୟ ପାଇଁ ଅଟକି ଯାଇଥାଏ। ମହାପ୍ରଭୁଙ୍କ ଭକ୍ତ ବତ୍ସଳ ତାର ଏହା ଏକ ନିଦର୍ଶନ ମାତ୍ର।
ଏହି ସ୍ଥାନରେ ତାଙ୍କ ସମାଧି ପ୍ରତିଷ୍ଠା ପଛରେ ରହିଛି ଏକ ସୁନ୍ଦର କାହାଣୀ। ଏକ ମୁସଲମାନ ପରିବାରରେ ଆନୁମାନିକ ୧୬୦୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସାଲବେଗ। ଯଦିଓ ସିଏ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ କିନ୍ତୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ତାଙ୍କର ଅଗାଢ ଭକ୍ତି ଥିଲା। ତାଙ୍କ ପିତା ଲାଲବେଗ ୧୬୦୫ରୁ ୧୬୨୭ ଭିତରେ ବିହାରରେ ଜାହାଙ୍ଗିରଙ୍କ ଦରବାରରେ ଜଣେ ରାଜ କର୍ମଚାରୀ ଥିଲେ। ଏହି ସମୟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଉପରେ ମୋଗଲ ଆକ୍ରମଣ ହୋଇଥିଲା। ମୋଗଲ ସୈନିକ ଲାଲବେଗ ଆକ୍ରମଣ ପରେ ଫେରିବା ବାଟରେ ପୁରୀର ଅନତି ଦୂରରେ ଥିବା ଦାଣ୍ଡ ମୁକୁନ୍ଦ ପୁର ଠାରେ ଜଣେ ବିଧବା ବ୍ରାହ୍ମଣୀ କନ୍ୟାଙ୍କୁ ବଳ ପୂର୍ବକ ଉଠାଇ ନେଇ ବିବାହ କରିଥିଲେ। ବିବାହ ପରେ ତାଙ୍କ ନାମ ହୋଇଥିଲା ଫତିମା ବିବି। ଏହି ଫତିମା ବିବିଙ୍କ ପୁତ୍ର ଥିଲେ ସାଲବେଗ। ଫତିମା ବିବି ଥିଲେ ପରମ କୃଷ୍ଣ ଭକ୍ତ। ତେଣୁ ପିଲାବେଳୁ ସାଲବେଗଙ୍କୁ ସିଏ ଭାଗବତ ଓ ଜଗନ୍ନାଥ ତତ୍ତ୍ୱ ସମ୍ଭନ୍ଧରେ ଅନେକ କାହାଣୀ ଶୁଣାଉଥିଲେ। ଏହାର ପ୍ରଭାବ ସାଲବେଗଙ୍କ ଉପରେ ପଡୁଥିଲା। ବୟସ ବଢିବା ସଙ୍ଗେ ସଙ୍ଗେ ସାଲବେଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ପାଲଟି ଯାଇଥିଲେ।
ସାଲବେଗ ପିତାଙ୍କ ସହ ଯୁଦ୍ଧ କ୍ଷେତ୍ରକୁ ଯାଇ ଗଭୀର କ୍ଷତାକ୍ତ ହେଲେ। ଏପରିକି ତାଙ୍କ ବଞ୍ଚିବାର ଆଶା ମୌଳି ଗଲା। ଏହି ସମୟରେ ମାଆଙ୍କ ନିର୍ଦ୍ଦେଶରେ ସିଏ ବୃନ୍ଦାବନ ବାଗରେ ତିନିଦିନ ତିନିରାତି କୃଷ୍ଣ ନାମ ଜପ କଲେ। ଏହା ଫଳରେ ସିଏ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ବୃନ୍ଦାବନ ବାଗ ଅପଭ୍ରଂଶରେ ପରବର୍ତୀ ସମୟରେ ବୈଶିଙ୍ଗା ନାମରେ ନାମିତ ହେଲା। ଏହାଭିତରେ ପିତା ଲାଲବେଗ ଯୁଦ୍ଧରେ ପ୍ରାଣ ହରାଇ ସାରିଥିଲେ। ବେସାହାରା ସାଲବେଗ ଓ ତାଙ୍କ ମାଆ ଶ୍ରୀକ୍ଷେତ୍ର ଚାଲି ଆସିଥିଲେ। କିନ୍ତୁ ସେମାନଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରଵେଶ କରିବାକୁ ଦିଆଯାଇ ନଥିଲା। ଏହାସତ୍ତ୍ୱେ ଭକ୍ତ ସାଲବେଗ ଶ୍ରୀଜଗନ୍ନାଥଙ୍କ ଉପରେ ଅନେକ ହୃଦୟସ୍ପର୍ଶୀ ଭଜନ- ଜଣାଣ ରଚନା କରିଥିଲେ। ଏହା ୧୬୨୨ ରୁ ୧୬୪୭ ,ମସିହା ଭିତରେ ରଚନା କରାଯାଇଥିଲା। ମା ଙ୍କ ଅନ୍ତେ କିଛିଦିନ ପାଇଁ ସିଏ ବୃନ୍ଦାବନ ଯାତ୍ରା କରିଥିଲେ।
ବୃନ୍ଦାବନ ଦର୍ଶନ ସାରି ସିଏ ପୁନର୍ବାର ଶ୍ରୀକ୍ଷତ୍ର ଫେରୁଥିଲେ। ବାଟରେ ଅନ୍ୟ ଭକ୍ତଙ୍କ ମୁଖରୁ ଅଳ୍ପ ଶୁଣିଲେ କିଛି ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଦୀର୍ଘ ତମ ୭୫୦ କ୍ରୋଶ ଅତିକ୍ରମ କରି ଏ ଦୁର୍ଲ୍ଲଭ ଯାତ୍ରାରୁ ସିଏ ବଂଚିତ ହେବେ। ଭାବଗ୍ରାହୀ ଶ୍ରୀଜଗନ୍ନାଥ ଭକ୍ତର ଭାବକୁ ସ୍ୱୀକାର କରି ନିଜ ରଥକୁ ବଡ଼ଦାଣ୍ଡ ରେ ଅଟକାଇ ଦେଲେ। ଭକ୍ତ ସାଲବେଗ ଶ୍ରୀକ୍ଷେତ୍ରରେ ପାଦ ଦେଇ ମହାପ୍ରଭୁଙ୍କ ଦର୍ଶନ ପରେ ରଥ ଗାଡିଥିଲା। ଆନୁମାନିକ ସମୟ ୧୬୪୮ ରେ ଏହି ମହାନ ଭକ୍ତଙ୍କ ଦେହାନ୍ତ ପରେ ଗଜପତି ବଡ଼ଦାଣ୍ଡରେ ତାଙ୍କୁ ସମାଧି ଦେବାର ବ୍ୟବସ୍ଥା କରିଥିଲେ। ଏହାସହ ଏହି ସମଧିର ସେବପୂଜା ପାଇଁ ବଳଗଣ୍ଡି ଛତା ମଠକୁ ଖେଇ ବ୍ୟବସ୍ଥା କରାଇଥିଲେ।
ପରବର୍ତ୍ତୀ ସମୟରେ ବାଲେଶ୍ୱର ଜଣେ ଜମିଦାର ଏଠାରେ ଏକ କ୍ଷୁଦ୍ର ସମାଧି ମନ୍ଦିର ନିର୍ମାଣ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ କରି ଭକ୍ତଂକ ସ୍ମୃତି ରକ୍ଷା କରିଛନ୍ତି। ଏହାସହ କାଳ କାଳକୁ ରଥଯାତ୍ରା ସହିତ ଭକ୍ତ ସାଲବେଗଙ୍କ ସ୍ମୃତି ଗାଥା ଜନ ମାନସରେ ଏକ ଅକ୍ଷୟିକା ଭାବରେ ଚିର ସ୍ମରଣୀୟ ହୋଇ ରହିଛି।
Comments are closed.