ତୃତୀୟ ଲହରୀ ଆଶଙ୍କା, ଗତ ୧୧ ଦିନରେ ବେଙ୍ଗାଲୁରୁରେ ୫୪୩ ପିଲା ସଂକ୍ରମିତ, ଜରୁରୀ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ତୃତୀୟ ଲହରୀ ଆଶଙ୍କା ମଧ୍ୟରେ କର୍ଣ୍ଣାଟକରେ କରୋନା ସଂକ୍ରମିତ ପିଲାମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ୧୧ ଦିନରେ କେବଳ ବେଙ୍ଗାଲୁରୁରେ ହିଁ ୫୪୩ ପିଲା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତଙ୍କ ମଧ୍ୟରେ ୧ ବର୍ଷରୁ ୧୯ ବର୍ଷ ବୟସର କିଶୋର ଅଛନ୍ତି ବୋଲି କୁହାଯାଇଛି । ଏଭଳି ଚିନ୍ତାଜନକ ସ୍ଥିତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଆଜି ବିଶେଷଜ୍ଞଙ୍କ ଏକ ଜରୁରୀ ବୈଠକ ଡକାଇଛନ୍ତି ।

ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ରାଜ୍ୟରେ ସବୁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କିଛି କଡ଼ା ପଦପେକ୍ଷ ନେବେ ବୋଲି ମନେ କରାଯାଉଛି । ଅନ୍ୟପଟେ ବୃହତ୍ ବେଙ୍ଗାଲୁରୁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ସହରରେ ଯେଉଁ ୫୪୩ କିଶୋର କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଏହି ରୋଗର ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନାହିଁ । ବିଶେଷଜ୍ଞ କହିଛନ୍ତି ଯେ, ବିନା ଲକ୍ଷଣରେ କରୋନା କିଶୋର ଓ ଯୁବ ବର୍ଗକୁ ଆକ୍ରାନ୍ତ କରିବା ଚିନ୍ତାଜନକ । ଏହା ଦ୍ୱାରା ତୃତୀୟ ଲହର ଆଶଙ୍କା ବଢ଼ିଯାଇଛି । ତୃତୀୟ ଲହରର ସମ୍ଭାବ୍ୟ ବିପଦ ମଧ୍ୟରେ କିଶୋର ଓ ଯୁବକଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

Comments are closed.