ସ୍ବତନ୍ତ୍ର କମିଟି କରିବ ରାଜ୍ୟସଭାରେ ଧସ୍ତାଧସ୍ତି ଘଟଣାର ତଦନ୍ତ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟସଭାରେ ହୋଇଥିବା ପ୍ରବଳ ହଙ୍ଗାମା ଏବଂ ମାର୍ଶାଲଙ୍କ ସହ କିଛି ସଦସ୍ୟଙ୍କ ଧସ୍ତାଧସ୍ତି ଘଟଣାର ତଦନ୍ତ ଏକ ସ୍ୱତନ୍ତ୍ର କମିଟି କରିବ। ଏଇ ସପ୍ତାହରେ ରାଜ୍ୟସଭା ଘଟଣାର ତଦନ୍ତ ପାଇଁ ଏହି କମିଟି ଗଠନ କରାଯିବ। ଅଧା ଡଜନରୁ ଉର୍ଦ୍ଧ୍ଵ ସଦସ୍ୟ ଏହି କମିଟିର ଅଂଶ ହେବେ । ସଦାଚାର କମିଟି ପରିବର୍ତ୍ତେ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ଏହି ଘଟଣାର ତଦନ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ପୂର୍ବତନ ସେକ୍ରେଟେରୀ ଜେନେରାଲ୍ ଏବଂ ଆଇନ ବିଶେଷଜ୍ଞଙ୍କ ଠାରୁ ମତାମତ ନିଆଯାଉଛି।

ସେପଟେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମୌସୁମୀ ଅଧିବେଶନରେ କିଛି ସାଂସଦଙ୍କ ଅଶୋଭନୀୟ ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ସଂସଦରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଲଢେଇ ମଧ୍ୟରେ ଅଗଷ୍ଟ ୧୧ରେ ରାଜ୍ୟସଭା ସଚିବାଳୟ ନିଜର ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ମାର୍ଶାଲ ଓ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣା ଦିନ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କ ସହ ତୃଣମୂଳ କଂଗ୍ରେସ ସାଂସଦ ଡୋଲା ସେନ ଅସଦାଚରଣ କରିଥିଲେ । ସେନ୍ ନା କେବଳ ତାଙ୍କୁ ବାହାରକୁ ଯିବାରୁ ଅଟକାଇଥିଲେ ବରଂ ପୀୟୁଷ ଗୋୟଲଙ୍କୁ ଧକ୍କା ଦେଇଥିଲେ । ସାଂସଦ ଫୁଲୋ ଦେବୀ ନେତମ, ଛାୟା ବର୍ମା ଏବଂ ଏଲମାରନ କରିମ ମାର୍ଶଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟରେ ପୁରା ଘଟଣାର ସବିଶେଷ ତଥ୍ୟ ଉପସ୍ଥାପିତ କରାଯାଇଛି । ମହିଳା ମାର୍ଶଲଙ୍କ ସହ ହୋଇଥିବା ଅସଦାଚରଣ ହୋଇଥିବା ମଧ୍ୟ ରିପୋର୍ଟରେ ବିସ୍ତୃତ ଭାବରେ ଦର୍ଶାଯାଇଛି।

Comments are closed.