୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଲେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ: ଭାରତର ଅଣ୍ଡର-୧୯ ବିଶ୍ୱକପ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ମାତ୍ର ୨୮ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଜୁନିୟର ସ୍ତରର ସଫଳତାକୁ ଚାନ୍ଦ ସିନିୟର ସ୍ତରରେ ଦୋହରାଇ ପାରିନଥିଲେ । ଶୁକ୍ରବାର ଏକାଧିକ ଟୁଇଟ୍ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି ଚାନ୍ଦ । ସେ କିଛି ସ୍ମରଣୀୟ ଭିଡିଓ ସହ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ । ନିଜ ଅଣ୍ଡର-୧୯ ସାଥୀ ଖେଳାଳି ସମିତ ପଟେଲଙ୍କ ଭଳି ଚାନ୍ଦ ମଧ୍ୟ ସମ୍ଭବତଃ ଆମେରିକାରେ ଟି୨୦ ଲିଗ୍ ଖେଳିପାରନ୍ତି ।

ଆମେରିକାରେ ଖେଳିବା ପାଇଁ ଚାନ୍ଦଙ୍କୁ ଅବସର ଘୋଷଣା କରିବାକୁ ପଡ଼ିଲା । କାରଣ ବିଦେଶୀ ଟି୨୦ ଲିଗ୍ ରେ ଭାଗ ନେବାକୁ ବିସିସିଆଇ ନିଜ ପଞ୍ଜିକୃତ ଖେଳାଳିଙ୍କୁ ଅନୁମତି ଦିଏ ନାହିଁ ।

ଚାନ୍ଦ ନିଜ ଲମ୍ବା ପୋଷ୍ଟରେ ଲେଖିଛନ୍ତି, ଗତ କିଛି ବର୍ଷ ଧରି କ୍ୟାରିୟର ଯେଉଁଭଳି ମୋଡ ଦେଇ ଗତି କରିଛି ସେଥିରେ ମୁଁ ଆଂଶିକ ଭାବେ ସନ୍ତୁଷ୍ଟ ନଥିଲି । ତଥାପି ମୁଁ ଆଶାର କିରଣ ଦେଖୁଛି ଏବଂ ସ୍ମରଣୀୟ ସ୍ମୃତି ସହ ବିସିସିଆଇକୁ ଅଲବିଦା କରୁଛି ଏବଂ ବିଶ୍ୱ ସାରା ନୂତନ ସୁଯୋଗର ସନ୍ଧାନ କରୁଛି ।
ଚାନ୍ଦ ଜଣେ ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍ ଓ ଅଫ୍ ସ୍ପିନର ଥିଲେ । ୨୦୧୨ରେ ନିଜ ଅଧିନାୟକତ୍ୱରେ ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ବିଜୟୀ କରିବା ପରେ ଉନ୍ମୁକ୍ତ ଚାନ୍ଦ ଦେଶର ଘରେ ଘରେ ଏକ ପରିଚିତ ନାମ ହୋଇଯାଇଥିଲେ । ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ଚାନ୍ଦ ୧୧୧ ରନର ଇନିଂସ୍ ସହ ଭାରତକୁ ଟାଇଟଲ୍ ଦେଇଥିଲେ । ଫାଇନାଲରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଅଣ୍ଡର-୧୯ ବିଶ୍ୱକପ୍ ବିଜୟ ପରେ ଚାନ୍ଦଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ କୁହାଯାଉଥିଲା । ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଇଆନ୍ ଚାପେଲ ତାଙ୍କର ଏକ ସ୍ତମ୍ଭରେ ମଧ୍ୟ ଚାନ୍ଦଙ୍କୁ ଭାରତୀୟ ଦଳରେ ସାମିଲ କରିବା ସପକ୍ଷରେ ମତ ଦେଇଥିଲେ । ଅଣ୍ଡର-୧୯ ବିଶ୍ୱକପ ପରେ ତାଙ୍କର ଲୋକପ୍ରିୟତା ଏପରି ବଢିଯାଇଥିଲା ଯେ, ସେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ସହ ଏକ ଟିଭି ବିଜ୍ଞାପନ କରିବାକୁ ସୁଯୋଗ ପାଇଥିଲେ ।

କିନ୍ତୁ କ୍ୟାରିୟର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏପରି କିିଛି କରିଥିଲେ ଯାହା ପାଇଁ ତାଙ୍କୁ ସମାଲୋଚିିତ ହେବାକୁ ପଡିଥିଲା । ଥରେ ସେ ଭାରତୀୟ ‘ଏ’ ଦଳର ଶିବିର ଛାଡ଼ି ଏକ ଘରୋଇ ଟିଭି ଚ୍ୟାନେଲର ‘ଟକ୍ ଶୋ’ରେ ଭାଗ ନେବାକୁ ପହଞ୍ଚି ଯାଇଥିଲେ । ଏନେଇ ତାଙ୍କୁ ମଞ୍ଚ ଉପରେ ହିଁ ଭାରତର ବିଶ୍ୱକପ୍ ବିଜୟୀ ଅଧିନାୟକ କପିଳ ଦେବ ସମାଲୋଚନା କରିଥିଲେ । କପିଳଙ୍କ ସାଥୀ ଖେଳାଳି ଓ ପୂର୍ବତନ ଚୟନ କମିଟି ଅଧ୍ୟକ୍ଷ ସନ୍ଦୀପ ପାଟିଲ ତାଙ୍କୁ ୨୦୧୫ରେ ଜିମ୍ବାୱେ ଗସ୍ତରେ ପଠାଇବାକୁ ଚାହୁଁଥିଲେ । କିନ୍ତୁ ସେହି ଗସ୍ତରେ ଯିବାକୁ ତାଙ୍କୁ ସୁଯୋଗ ମିଳିନଥିଲା ।

୨୦୧୨ରେ ଅଣ୍ଡର-୧୯ ବିଶ୍ୱକପ୍ ପରେ ଚାନ୍ଦଙ୍କୁ ଦିଲ୍ଲୀ ତରଫରୁ ରଣଜୀ ଟ୍ରଫି ଖେଳିବାକୁ ସୁଯୋଗ ମିଳିଥିଲା । ନିଜର ଚତୁର୍ଥ ମ୍ୟାଚରେ ରେଳବାଇ ବିପକ୍ଷରେ ସେ ଚମତ୍କାର ୧୫୧ ରନ୍ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ରେଡ୍ ବଲ୍ କ୍ରିକେଟର ଚ୍ୟାଲେଞ୍ଜ ସମ୍ଭାଳି ପାରିନଥିଲେ । ସେ ୧୮ ବର୍ଷ ବୟସରେ ଆଇପିଏଲ୍ ଡେବ୍ୟୁ କରିଥିଲେ । ଆଇପିଏଲରେ ଚାନ୍ଦ ଦିଲ୍ଲୀ ଡେୟାରଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ । ତେବେ ଆଇପିଏଲରେ ଚାନ୍ଦ ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ ।

ଚାନ୍ଦ ୬୭ ପ୍ରଥମ ଶ୍ରେଣୀ ମ୍ରାଚ୍ ଖେଳିଥିବା ବେଳେ ୩୧.୫୭ ଆଭରେଜ ସହ ୩୩୭୯ ରନ୍ କରିଥିଲେ । ଲିଷ୍ଟ-ଏ କ୍ରିକେଟରେ ଏହି ୨୮ ବର୍ଷୀୟ ଖେଳାଳି ୧୨୦ ମ୍ୟାଚରୁ ୪୧.୩୩ ଆଭରେଜ୍ ସହ ୪୫୦୫ ରନ୍ କରିଥିବା ବେଳେ ୭୭ ଟି୨୦ ମ୍ୟାଚରେ ୧୫୬୫ ରନ୍ କରିଥିଲେ ।

Comments are closed.