ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଆମେରିକା ମୁଖ୍ୟାଳୟକୁ ବଦଳି

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ଆମେରିକା ବଦଳି ହୋଇଯାଇଛି । ଟ୍ୱିଟର ତାଙ୍କୁ ନିଜ ଆମେରିକା ମୁଖ୍ୟାଳୟକୁ ସ୍ଥାନାନ୍ତର କରିଛି । ଆମେରିକାକୁ ମହେଶ୍ୱରୀଙ୍କ ବଦଳି ଏପରି ଏକ ସମୟରେ ହୋଇଛି ଯେତେବେଳେ କି ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ନିଜ ଆକାଉଣ୍ଟ୍ ବ୍ଲକ୍ କରାଯିବା ନେଇ ଆଜି ରାହୁଲ ଏହି ସୋସିଆଲ ମିଡ଼ିଆ କମ୍ପାନୀକୁ ଭର୍ତ୍ସନା କରିଥିଲେ । ଟ୍ୱିଟର ଭାରତର ରାଜନୀତିରେ ହସ୍ତକ୍ଷେପ କରୁଛି ବୋଲି ରାହୁଲ ଅଭିଯୋଗ ପକରିଥିଲେ । ଏହାଛଡ଼ା ନୂଆ ଆଇଟି ନିୟମ ନେଇ ମଧ୍ୟ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ।

ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବାର ଦୁଇବର୍ଷ ପରେ ମହେଶ୍ୱରୀଙ୍କୁ ଆମେରିକା ସ୍ଥିତ ଟ୍ୱିଟର ମୁଖ୍ୟାଳୟକୁ ଫେରାଇ ଅଣାଯାଇଛି ।
ମନୀଷ ମହେଶ୍ୱରୀ ନେଟୱର୍କ ୧୮ ଛାଡ଼ି ଏପ୍ରିଲ ୧୮ ୨୦୦୯ରେ ଟ୍ୱିଟର ଇଣ୍ଡିଆରେ ଯୋଗ ଦେଇଥିଲେ । ଏବେ ସେ ଆମେରିକାରେ ଏହି ସୋସିଆଲ ମିଡ଼ିଆ କମ୍ପାନୀର ସିନିୟର ଡାଇରେକ୍ଟର, ରେଭେନ୍ୟୁ ଷ୍ଟ୍ରାଟେଜି ଏବଂ ଅପରେସନ୍ସ କାର୍ଯ୍ୟ ସମ୍ଭାଳିବେ ।

ନୂଆ ଆଇଟି ନିୟମ ନେଇ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି କିଛି ଆକାଉଣ୍ଟ୍ ବ୍ଲକ୍ କରିବା ସହ କିଛି ପୋଷ୍ଟ ହଟାଇବାକୁ ଟ୍ୱିଟର ଇଣ୍ଡିଆ ଉପରେ କେନ୍ଦ୍ର ତରଫରୁ ବାରମ୍ବାର ଚାପ ପଡ଼ୁଥିଲା । ଗାଜିଆବାଦରେ ଏକ ସାମ୍ପ୍ରଦାୟିକ ଘଟଣାର ଭିଡ଼ିଓ ପୋଷ୍ଟ କରାଯିବାକୁ ନେଇ ମହେଶ୍ୱରୀଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଥିଲା । ନିକଟରେ ବଳାତ୍କାର ଓ ହତ୍ୟାର ଶିକାର ଜଣେ ନାବାଳିକାର ବାପା-ମା’ଙ୍କ ଫଟୋ ସେୟାର କରିବା ପରେ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ବ୍ଲକ୍ କରିବା ନେଇ ଟ୍ୱିଟର ପୁଣି ବିବାଦ ଘେରକୁ ଆସିଥିଲା । ଏନେଇ ରାହୁଲ ଆଜି ଟ୍ୱିଟର ଉପରେ ବର୍ଷିଥିଲେ ।

Comments are closed.