କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ଼, ଦଳାଚକଟାରେ ପାଞ୍ଚ ଜଣଙ୍କ ମୃତ୍ୟୁ

କାବୁଲ: ତାଲିବାନ କବଜାକୁ ଆସିଯାଇଛି ସମଗ୍ର ଆଫଗାନିସ୍ତାନ । ଭୟରେ ଲୋକେ ଦେଶ ଛାଡ଼ି ପଳାଇବା ପାଇଁ ଉଦ୍ୟମ କରୁଛନ୍ତି । କାବୁଲ ବିମାନବନ୍ଦରରେ ସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି । ଦେଶ ଛାଡ଼ି ପଳାଇବାକୁ ଆଜି ସକାଳୁ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଜମିଛି । ଏପରିକି ଦଳାଚକଟାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିମାନ ବନ୍ଦରରେ ଅତ୍ୟଧିକ ଭିଡ଼ ଯୋଗୁଁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଅନେକ ଫଟୋ ଏବଂ ଭିଡ଼ିଓରେ କାବୁଲ ବିମାନ ବନ୍ଦରରେ ମୃତଦେହ ଦେଖିବାକୁ ମିଳୁଛି | ତେବେ ଏହି ଫଟୋ ଓ ଭିଡ଼ିଓର ସତ୍ୟାସତ୍ୟ ଜଣାପଡି ନାହିଁ । ଏଥିସହ କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ଦଳାଚକଟା ଯୋଗୁଁ କିଛି ଲୋକ ପ୍ରାଣ ହରାଇଛନ୍ତି।

ଆଫଗାନିସ୍ତାନରେ ତାଲିବାନର କ୍ଷମତା କବଜା ମଧ୍ୟରେ ହଜାର ହଜାର ଲୋକ କାବୁଲ ଛାଡିବାକୁ ଚାହୁଁଛନ୍ତି। କାବୁଲ ବିମାନବନ୍ଦରରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ସୈନ୍ୟବାହିନୀ ଫାଙ୍କା ଗୁଳି ଚଳାଇବାକୁ ବାଧ୍ୟ ହୋଇଛି ।

ଏକ ବିବୃତ୍ତିରେ କୁହାଯାଇଛି ଯେ କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବ୍ୟବସାୟିକ ବିମାନ ଚଳାଚଳ ସ୍ଥଗିତ ରହିଛି। ବିମାନ ବନ୍ଦରରେ ଭିଡ଼ ନ ଜମାଇବା ପାଇଁ ଏହି ବିବୃତ୍ତି ଲୋକଙ୍କୁ ନିବେଦନ କରାଯାଇଛି। ସେଠାରୁ କେବଳ ସାମରିକ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା।

Comments are closed.