ସାଂସଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରି ସୁପ୍ରିମକୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ବାହାରେ ସୋମବାର ଜଣେ ମହିଳାଙ୍କ ସହ ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୋର୍ଟର ଗେଟ୍ ନମ୍ବର ‘ଡି’ରେ ଉଭୟ ଆତ୍ମାହୁତି ଉଦ୍ୟମ କରିଥିଲେ। ଉଭୟଙ୍କୁ ସଙ୍ଗେ ସଙ୍ଗେ ପୋଲିସ ଭ୍ୟାନରେ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା। ଉଭୟ ୪୦ ପ୍ରତିଶତ ଜଳି ଯାଇଥିବା କୁହାଯାଇଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଉତ୍ତର ପ୍ରଦେଶ ଘୋସିର ସାଂସଦ ଅତୁଲ ରାୟଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଛନ୍ତି। ତାଙ୍କ ସହ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ଏହି ଘଟଣାର ସାକ୍ଷୀ ଅଟନ୍ତି। ଦୁହେଁ ନିଜକୁ ନିଆଁ ଲଗାଇବା ପୂର୍ବରୁ ସୋସିଆଲ ମିଡିଆରେ ଲାଇଭ କରିଥିଲେ। ଏଥିରେ ମହିଳା ଜଣକ ନିଜକୁ ଜଣେ ବଳାତ୍କାର ପୀଡ଼ିତା ବୋଲି କହିଥିଲେ । ସମସ୍ତ ଉଦ୍ୟମ ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ ବୋଲି ମହିଳା ଜଣକ କହିଥିଲେ।

ଦୁହେଁ କୋର୍ଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆବଶ୍ୟକ ପରିଚୟ ପତ୍ର ନ ଥିବାରୁ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ। ଏହା ପରେ ସେମାନେ ନିଜକୁ ନିଆଁ ଲଗାଇ ଦେଇଥିଲେ।

Comments are closed.