‘ପିଞ୍ଜରାବଦ୍ଧ ଶୁଆ’କୁ ମୁକ୍ତ କର, ସିବିଆଇକୁ ନେଇ ମାଡ୍ରାସ୍ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥା ସିବିଆଇକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସିବିଆଇ ଏକ ସ୍ୱାଧୀନ ସଂସ୍ଥା ହେବା ଉଚିତ ଏବଂ ଏହା କେବଳ ସଂସଦକୁ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି ମାଡ୍ରାସ୍ ହାଇକୋର୍ଟ । ସିବିଆଇର ସ୍ୱାୟତ୍ତତା ଉପରେ ଗୁରୁତ୍ୱାରୋପ କରି ହାଇକୋର୍ଟ କହିଛନ୍ତି ଯେ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭଳି ସିବିଆଇ ମଧ୍ୟ ସ୍ୱାଧୀନ ହେବା ଉଚିତ ।

ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏକ ୧୨ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରି ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଏହା ‘ପିଞ୍ଜରାବଦ୍ଧ ଶୁଆ (ସିବିଆଇ)’କୁ ମୁକ୍ତ କରିବା ପାଇଁ ଏକ ପ୍ରୟାସ ।

ସିବିଆଇକୁ ଶାସକ ଦଳ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି । କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ନେଇ ଶୁଣାଣି ବେଳେ ୨୦୧୩ରେ ସୁପ୍ରିମକୋର୍ଟ ପ୍ରଥମେ ସିବିଆଇକୁ ‘ପିଞ୍ଜରାବଦ୍ଧ ଶୁଆ’ ଭାବେ ଅଭିହିତ କରିଥିଲେ । ସେତେବେଳେ ବିରୋଧୀ ଥିବା ବିଜେପି ଅଭିଯୋଗ କରିଥିଲା ଯେ କଂଗ୍ରେସ ଶାସିତ ସରକାର ସିବିଆଇକୁ ନିୟନ୍ତ୍ରଣ କରୁଛି ।

ଏବେ ବିଜେପି ଶାସିତ କେନ୍ଦ୍ର ସରକାର ବିରୋଧରେ ମଧ୍ୟ ସମାନ ଅଭିଯୋଗ ହେଉଛି । ମୋଦି ସରକାର ନିଜ ରାଜନୈତିକ ଫାଇଦା ପାଇଁ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ସିବିଆଇକୁ ଲଗାଉଛନ୍ତି ବୋଲି ଅଭିଯୋଗ ହେଉଛି ।

Comments are closed.