ଏହି ବରିଷ୍ଠ ତାଲିବାନ କମାଣ୍ଡରଙ୍କ ଭାରତ ଓ ଭାରତୀୟ ସେନା ସହ ରହିଛି ପୁରୁଣା ସମ୍ପର୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପୁଣି ଫେରିଛି ତାଲିବାନୀ ଶାସନ । ଏହି ମୌଳବାଦୀ ସଂଗଠନର ବରିଷ୍ଠ କମାଣ୍ଡର ମାନେ ତାଲିବାନ ସରକାରକୁ ଯେଭଳି ବିଶ୍ଵ ସମୁଦାୟର ସ୍ୱୀକୃତି ମିଳିବ ସେନେଇ ଉଦ୍ୟମ ଚଳାଇଛନ୍ତି । ତାଲିବାନର ଏହି ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେର ମହମ୍ମଦ ଆବାସ୍ ଷ୍ଟାନିକଜାଇ, ଯାହାଙ୍କ ଭାରତ ଏବଂ ଭାରତୀୟ ସେନା ସହିତ ପୁରୁଣା ସମ୍ପର୍କ ରହିଛି। ଷ୍ଟାନିକଜାଇ ୧୯୮୨ ମସିହାରେ ଡେରାଡୁନରେ ଥିବା ଭାରତୀୟ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରୁ ପ୍ରି-କମିଶନ ଟ୍ରେନିଂ ନେଇଥିଲେ।

ଷ୍ଟାନିକଜାଇ ଗତ କିଛି ବର୍ଷ ହେବ କତାରର ରାଜଧାନୀ ଦୋହାରେ ରହିଆସୁଛନ୍ତି । ଷ୍ଟାନିକଜାଇ ଆମେରିକା ସମେତ ବିଶ୍ବର ବହୁ ଗୁରୁତ୍ୱପୂର୍ଣ୍ଣ ଦେଶର ସରକାରଙ୍କ ସହ ତାଲିବାନର ସମ୍ପର୍କ ସୁଧାରିବା ପାଇଁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଛନ୍ତି। ଷ୍ଟାନିକଜାଇ ଗତ ବର୍ଷ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧିଙ୍କ ସହ ଆଲୋଚନାରେ ମଧ୍ୟ ତାଲିବାନ ପ୍ରତିନିଧି ଦଳର ଏକ ଅଂଶ ଥିଲେ। ତେବେ ଏହି ଆଲୋଚନା ସଫଳ ହୋଇନଥିଲା ଏବଂ ତାଲିବାନ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିଲା। ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେଲେ ଷ୍ଟାନିକଜାଇଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବା ସମ୍ଭାବନା ରହିଛି।

ଶେର ମହମ୍ମଦ ଆବାସ୍ ଷ୍ଟାନିକଜାଇ ୧୯୮୨ ମସିହାରେ ଭାରତୀୟ ସେନାର ଡେରାଡୁନ ସ୍ଥିତ ଆଇଏମ୍ଏରୁ ପ୍ରି-କମିଶନ ଟ୍ରେନିଂ ନେଇଥିଲେ। ଷ୍ଟାନିକଜାଇଙ୍କ ସହ ଭାରତୀୟ ସେନାର ବ୍ରିଗେଡିୟର୍ ସନ୍ଦୀପ ଥାପର ମଧ୍ୟ ଏହି ବ୍ୟାଚ୍ ର ଥିଲେ। ଥାପର ବର୍ତ୍ତମାନ ସେନାରୁ ଅବସର ନେଇଛନ୍ତି, କିନ୍ତୁ ସେ ‘ଶେରୁ’କୁ ଏବେ ମଧ୍ୟ ଭଲଭାବେ ମନେ ରଖିଛନ୍ତି। ଆଇଏମଏରେ ଷ୍ଟାନିକଜାଇ ‘ଶେରୁ’ ନାମରେ ପରିଚିତ ଥିଲେ | ବ୍ରିଗେଡିୟର୍ ଥାପର କହିଛନ୍ତି ଯେ ତାଙ୍କ ବ୍ୟାଚ୍ ରେ ଆଫଗାନିସ୍ତାନରୁ ଚାରିଜଣ ବିଦେଶୀ କ୍ୟାଡେଟ୍ ଥିଲେ । ଷ୍ଟାନିକଜାଇ ଓରଫ୍ ଶେରୁ ସେହି ଚାରିଜଣଙ୍କ ମଧ୍ୟରୁ ଜଣେ ଥିଲେ | ଅନ୍ୟ ଆଫଗାନିସ୍ତାନ କ୍ୟାଡେଟଙ୍କ ପରି ଶେରୁ ମଧ୍ୟ ବେଶ୍ ରିଜର୍ଭ ରହୁଥିଲେ। ସେ ସାଧାରଣ କ୍ୟାଡେଟ୍ ପରି ଶାରୀରିକ ଡ୍ରିଲ୍ ମଧ୍ୟ କରୁଥିଲେ |

ବ୍ରିଗେଡିୟର୍ ଥାପର କହିଛନ୍ତି, ତାଲିମ ସମୟରେ ଆମେ କେବେ ଭାବିନଥିଲୁ ଯେ ଶେରୁ ଜଣେ ମୁଜାହିଦ୍ଦିନ ପାଲଟି ଯିବେ। ନିକଟରେ ଯେତେବେଳେ କତାରର ରାଜଧାନୀ ଦୋହାରୁ ତାଲିବାନ ପ୍ରତିନିଧିଙ୍କ ଫଟୋ ବିଶ୍ଵ ସାମ୍ନାକୁ ଆସିଲା, ବ୍ରିଗେଡିୟର୍ ଥାପର ସଙ୍ଗେ ସଙ୍ଗେ ଷ୍ଟାନିକଜାଇ ଓରଫ୍ ଶେରୁଙ୍କୁ ଚିହ୍ନି ପାରିଥିଲେ | ବ୍ରିଗେଡିୟର୍ ଥାପର କହିଛନ୍ତି ଯେ ଶେର ମହମ୍ମଦ ଆବାସ ଷ୍ଟାନିକଜାଇ ନୂଆ ତାଲିବାନ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପାଇପାରନ୍ତି। ଭାରତ ସହ ତାଲିବାନର ସମ୍ପର୍କ ସୁଧାରିବା ପାଇଁ ମଧ୍ୟ ଷ୍ଟାନିକଜାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଥାପର ଆଶା ବ୍ୟକ୍ତ କରିଛନ୍ତି ।

ଶେର୍ ମହମ୍ମଦ ଆବାସ୍ ଷ୍ଟାନିକଜାଇ ଓରଫ୍ ଶେରୁ ୧୯୮୨ ମସିହାରେ ଆଇଏମ୍ଏରୁ ତାଲିମ ନେବା ପରେ ଆଫଗାନିସ୍ତାନ ସେନାରେ ଯୋଗ ଦେଇଥିଲେ | ସେତେବେଳେ ସୋଭିଏତ ସଂଘ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । କିଛି ବର୍ଷ ପରେ ଷ୍ଟାନିକଜାଇ ଆଫଗାନିସ୍ତାନ ସେନା ଛାଡି ତାଲିବାନରେ ସାମିଲ ହୋଇଥିଲେ । ସେହି ସମୟରେ ପାକିସ୍ତାନ ଏବଂ ଆମେରିକାର ଆଦେଶରେ ସୋଭିଏତ୍ ସେନା ସହିତ ଲଢୁଥିଲା ତାଲିବାନ ।

୧୯୯୬ରେ ଯେତେବେଳେ ତାଲିବାନ ପ୍ରଥମେ ଆଫଗାନିସ୍ତାନରେ କ୍ଷମତାକୁ ଆସିଲା, ସେତେବେଳେ ଷ୍ଟାନିକଜାଇଙ୍କୁ ଉପ ବୈଦେଶିକ ମନ୍ତ୍ରୀ କରାଯାଇଥିଲା। ହେଲେ ୯/୧୧ ପରେ ଆମେରିକା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ତାଲିବାନ ଛତ୍ରଭଙ୍ଗ ଦେଇଥିଲା । ତାଲିବାନ ସରକାରର ପତନ ପରେ ଷ୍ଟାନିକଜାଇ ଅନ୍ୟ କମାଣ୍ଡୋମାନଙ୍କ ସହିତ ବିଦେଶକୁ ପଳାୟନ କରିଥିଲେ। ଗତ କିଛି ବର୍ଷ ଧରି ସେ କତାରର ରାଜଧାନୀ ଦୋହାରେ ରହୁଛନ୍ତି। ଆମେରିକା ସହିତ ତାଲିବାନର ଶାନ୍ତି ଆଲୋଚନାରେ ଷ୍ଟାନିକଜାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ବହୁ ଦଶନ୍ଧି ଧରି ଆଫଗାନିସ୍ତାନ ଏବଂ ଅନ୍ୟ ମିତ୍ରରାଷ୍ଟ୍ରରୁ କ୍ୟାଡେଟ୍ ମାନେ ପ୍ରି-କମିଶନ ଟ୍ରେନିଂ ପାଇଁ ଆଇଏମ୍ଏ ଏବଂ ଭାରତୀୟ ସେନାର ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନକୁ ଆସନ୍ତି । ବର୍ତ୍ତମାନ ଆଫଗାନିସ୍ତାନ ସେନାର ପ୍ରାୟ ୬୦ କ୍ୟାଡେଟ୍ ଆଇଏମଏରେ ତାଲିମ ନେଉଛନ୍ତି।

Comments are closed.