ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଓ ବଳଭଦ୍ର ଜନ୍ମୋତ୍ସବ

ପୁରୀ : ଆଜି ଶ୍ରୀମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଵେ । ପାଟରା ବିଶୋୟୀଙ୍କ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକମାନେ ଆଜି ଲାଗି କରାଇବେ । ବଡ଼ ଭାଇ ବଳଭଦ୍ରଙ୍କ ପାଇଁ ବାଇଗଣୀ ଓ ନୀଳ ରଙ୍ଗରେ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ରାକ୍ଷୀ ଲାଗିହେବ। ଏହାସହ ୫୪ଟି ଗୁଆରେ ପ୍ରସ୍ତୁତ ଗୁଆମାଳ ମଧ୍ୟ ଶ୍ରୀଜୀଉ ଧାରଣ କରିବେ। ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ପାଟରା ବିଷୋୟୀ ସେବାୟତଙ୍କ ଦ୍ଵାରା ପ୍ରସ୍ତୁତ ରାକ୍ଷୀ ଲାଗିହେବ ।

ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହେଵ । ଶ୍ରୀମନ୍ଦିରରେ ଦ୍ୱିପହର ଭୋଗ ଉଠିବା ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବା ସହ ଚକ୍ରରାଜ ସୁଦର୍ଶନଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ନିଆଯିବ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ। ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ବଳଭଦ୍ରଙ୍କ ଜନ୍ମଉତ୍ସବ ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଗହ୍ମାମଣ୍ଡା ଭୋଗ ଲାଗି କରାଯିବ । ଏହାସହ ରତ୍ନବେଦୀ ତଳେ ବଳଭଦ୍ରଙ୍କ ଆଗରେ ଷଷ୍ଠୀ,ମାର୍କଣ୍ଡ ପୂଜା ସମ୍ପର୍ଣ୍ଣ ହେବ।

Comments are closed.