ଟ୍ରାଫିକ ନିୟମ ହେଲା କଡାକଡି, ପ୍ରଥମ ଉଲ୍ଲଂଘନରେ ବି ଅସ୍ଥାୟୀ ଭାବେ ତିନି ମାସ ପାଇଁ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର- ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ ମହଙ୍ଗା ପଡିବ । ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନ କଲେ ବି ରଦ୍ଦ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ । ତିନିମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ପାଇଁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆରଟିଓମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଂଘନରେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ଲାଇସେନ୍ସ ରଦ୍ଦ ହେବ । ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ ଆପଣଙ୍କ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ ହେବ । ସେହିପରି ମାଲବାହୀ ଗାଡିରେ ଯାତ୍ରୀ ପରିବହନ, ଅଧିକ ମାଲ ପରିବହନ,ରେଡ୍ ସିଗନାଲ ଭାଙ୍ଗିଲେ ଓ ଭୁଲ୍ ଦିଗରୁ ଗାଡି ଚଳାଇଲେ ଓ ଏହା ପ୍ରଥମ ଉଲ୍ଲଂଘନ ହେଲେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ଆରଟିଓମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏହାକୁ କଡାକଡି ଭାବେ ପାଳନ କରିବାକୁ ହେବ ।

Comments are closed.