ଆଫଗାନିସ୍ତାନ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଦଳୁଥିବା ପରିସ୍ଥିତି ମଧ୍ୟରେ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଫଗାନିସ୍ତାନକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ଏବଂ ଏହାର ଲୋକ ତଥା ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ କରାଯାଇଛି ସେନେଇ ବୈଦେଶିକ ମନ୍ତ୍ରୀ ବିରୋଧୀ ଦଳଙ୍କ ସାମ୍ନାରେ ଉତ୍ତର ରଖିବେ।

ତାଲିବାନ ସହ ସମ୍ପର୍କ ଏବଂ ଯୋଗାଯୋଗ ସମ୍ପର୍କରେ ସରକାର ନିଜ ରଣନୀତି ସମ୍ପର୍କରେ ତଥ୍ୟ ପ୍ରକାଶ କରିବା ଉଚିତ ବୋଲି କଂଗ୍ରେସ ସମେତ ବିରୋଧୀ ଦଳ ପକ୍ଷରୁ ଦାବି ହୋଇଆସିଛି। ଏହା ବ୍ୟତୀତ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ନିରାପଦ ସ୍ଥାନାନ୍ତର ଏବଂ ବୈଦେଶିକ ନୀତି ବିକଳ୍ପ ଉପରେ ସମସ୍ତଙ୍କୁ ବିଶ୍ବାସରେ ନିଅନ୍ତୁ ବୋଲି ବିରୋଧୀ କହିଥିଲେ। ଏସିଆରେ ପାକିସ୍ତାନ ଏବଂ ଚୀନ୍‌କୁ ମୁକାବିଲା କରିବା ପାଇଁ ଆଫଗାନିସ୍ତାନ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଅଂଶୀଦାର ହୋଇଛି। କିନ୍ତୁ ବର୍ତ୍ତମାନ ଉଭୟ ପରିସ୍ଥିତି ଏବଂ ବାସ୍ତବତା ବଦଳି ଯାଇଛି। ସେଥିପାଇଁ ସରକାରଙ୍କୁ ଏହି ପ୍ରସଙ୍ଗରେ ବୁଝିବିଚାରି ପଦକ୍ଷେପ ନେବାକୁ ପଡ଼ିବ।

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ସର୍ବଦଳୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍, ମୀନାକ୍ଷୀ ଲେଖୀ ଏବଂ ରାଜକୁମାର ରଂଜନ ସିଂ ସରକାରଙ୍କ ତରଫରୁ ଯୋଗଦେବେ। ଏମାନଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ। ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ଆୟୋଜନ କରିବେ। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ମଧ୍ୟ ଉପସ୍ଥିତ ରହିବେ।

ଏହା ସହିତ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, ରାଜ୍ୟସଭାର ନେତା ମଲ୍ଲିକାର୍ଜୁନ ଖାର୍ଗେ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ ଏବଂ ରାଜ୍ୟସଭାରେ ଦଳର ନେତା ସୁକେନ୍ଦୁ ଶେଖର ରୟ, ଏନସିପିର ଶରଦ ପାୱାର ସେଠାରେ ଉପସ୍ଥିତ ରହିବେ। ବୈଠକରେ ଯୋଗ ଦେବାକୁ ସମସ୍ତ ଛୋଟବଡ଼ ଦଳଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି |

Comments are closed.