ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ସେବାୟତଙ୍କ ପରିବାରକୁ ମିଳିବ ଘର, ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ

ପୁରୀ – ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଶ୍ରୀମନ୍ଦିର ସେବାୟତ ପରିବାରକୁ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତ ପରିବାରକୁ ଘର ମିଳିବ । ଏଥିପାଇଁ ୮ ଏକର ଜମିରେ ବ୍ୟବସ୍ଥା ହେବ । ପରିବାର ପିଛା ୬ ଶହ ବର୍ଗଫୁଟ ଘର ମିଳିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ । ସେବାୟତମାନେ ନିଜ ପଇସାରେ ଘର ବଢାଇ ପାରିବେ । ଆସନ୍ତା ଶିକ୍ଷାବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ ହେବ । ଗଜପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ । ଗୁରୁକୁଳ ମାଟିତୋଟାରେ ୧୭ ଏକର ଜମିରେ ନିର୍ମାଣ କରାଯିବ । ଗୁରୁକୁଳ ନିର୍ମାଣ ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷିୟ ଯୋଜନା ହେବ । ୫ ବର୍ଷୀୟ ସଂରକ୍ଷଣ ନେଇ ଏଏସଆଇଠାରୁ ପ୍ଲାନ ଆହ୍ୱାନ କରାଯିବ । ସଂରକ୍ଷଣ ପ୍ରସଙ୍ଗରେ ଏଏସଆଇ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେବେ । ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡିଲେ ,ରାଜ୍ୟ ସରକାର ବହନ କରିବେ ।

ରଥ ଯାତ୍ରା ପରେ ଆଗ୍ରହୀ ଶ୍ରଦ୍ଧାଳୁମାନଙ୍କୁ ଚକ ମାଗଣାରେ ଯୋଗାଇ ଦିଆଯିବ । କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ରଥଚକ ଦିଆଯିବ, ତାହା ସ୍ଥିର କରିବ ସବକମିଟି । ଅଧିକ ଆବେଦନକାରୀ ହେଲେ, ଲଟେରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.