ବ୍ୟବସାୟୀଙ୍କୁ ଅପହରଣ ଓ ଟଙ୍କା ମାଗିବା ଘଟଣାରେ ୱେବ ପୋର୍ଟାଲ ମୁଖ୍ୟ ରାଜା କୋଲକତାରୁ ଗିରଫ

ଭୁବନେଶ୍ୱର- ବ୍ୟବସାୟୀଙ୍କୁ ଅପହରଣ କରି ଦାଦା ବଟି ମାଗିବା ଅଭିଯୋଗରେ ଫେରାର ହୋଇଯାଇଥିବା ୱେବ୍ ଚ୍ୟାନେଲ ମୁଖ୍ୟ ରଘୁନାଥ ସାହୁ ଓରଫ ରାଜା ଶେଷରେ ଗିରଫ ହୋଇଛନ୍ତି । ପୂର୍ବରୁ ଏହି ମାମଲାରେ ଚ୍ୟାନେଲର ମହିଳା ସାମ୍ବାଦିକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା । ରାଜାଙ୍କୁ କୋଲକାତାରୁ ଗିରଫ କରିଛି ଓଡିଶା ପୋଲିସ । ୱେବ ଚ୍ୟାନେଲ ଆଢୁଆଳରେ କିଭଳି ଅପରାଧମୂଳକ କାର୍ଯ୍ୟକଳାପ ଚାଲିଥିଲା ତାହା ଉପରୁ ଏବେ ଅଧିକ ପରଦା ହଟିବ ବୋଲି ଆଶା କରାଯାଉଛି । ଖଣି ବ୍ୟବସାୟରେ ଜଡିତ ଜଣେ ବ୍ୟବସାୟୀ ଓ କେନ୍ଦ୍ରାପଡାରେ ରହୁଥିବା ତାଙ୍କର ଜଣେ ସହ ଯୋଗୀଙ୍କୁ ଗତ ୫ ତାରିଖରେ ଭୁବନେଶ୍ୱରକୁ କେହି ଜଣେ ଫୋନ୍ କରି ଡାକିଥିଲେ । ସେମାନେ ଭୁବନେଶ୍ୱରରେ ପହଂଚିବା ପରେ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରଠାରେ ଥିବା ଏକ ୱେବ ଚ୍ୟାନେଲ କାର୍ଯ୍ୟାଳୟକୁ ନିଆଯାଇଥିଲା ।

ସେଠାରେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ମନା କରିବାରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ଉଭୟଙ୍କ ଫୋନ ସୁଇଚ ଅଫ୍ ଥିବାରୁ ପରିବାର ଲୋକ ଯୋଗାଯୋଗ କରିପାରି ନ ଥିଲେ । ଦୁଇ ଦିନ ପରେ ଉଭୟଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଅପହରଣ ସଂପର୍କରେ କୁହାଯିବା ସହ ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା । ୫୦ ହଜାର ପାଇବା ପରେ ଉଭୟଙ୍କୁ ଛାଡିଥିଲେ ଅପହରଣକର୍ତ୍ତା ଏ ନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଚ୍ୟାନେଲର ମହିଳା ସାମ୍ବାଦିକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ରାଜା ଫେରାର ହୋଇଯାଇଥିଲା ।

Comments are closed.