ସନ୍ତାନ ମାନଙ୍କ ଅଳ୍ପାୟୁ ଦୋଷ ଦୂର ପାଇଁ ପାଳନ କରାଯାଏ କୁକ୍କୁଟୀ ବ୍ରତ !

ଭାଦ୍ରବ ମାସ ଶୁକ୍ଳପକ୍ଷ ସପ୍ତମୀଦିନ କୁକ୍‌କୁଟୀ ବ୍ରତ ପାଳନ କରାଯାଏ । ବଙ୍ଗ ଓ ଓଡ଼ିଶାରେ ଏହି ବ୍ରତ ବିଶେଷ ଭାବରେ ପ୍ରଚଳିତ । ଏହି ବ୍ରତ ଯେଉଁମାନେ ଅଳ୍ପାୟୁ ଥାନ୍ତି ତାଙ୍କ ପାଇଁ କରାଯାଏ।ମୁଖ୍ୟତଃ ଏହି ବ୍ରତ ଛୋଟନାଗପୁର ଅଞ୍ଚଳର ପାର୍ବତ୍ୟ ଗୋଷ୍ଠିରୁ ଉତ୍ପନ୍ନ। କ୍ରମେ ଏହା ସାଧାରଣ ଜନତା ଙ୍କ ମଧ୍ୟରେ ପ୍ରବେଶ କରିଛି । କୁକ୍ କୁଟୀ ସେହିମାନଙ୍କର ଦେବୀ ।

ଯୁଧିଷ୍ଠିର-ଶ୍ରୀକୃଷ୍ଣଙ୍କ ଆଳାପରୁ ଏହି ବ୍ରତକଥା ଆରମ୍ଭ ହୋଇଛି । ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀକୃଷ୍ଣ, ଲୋମଶ ମୁନିଙ୍କ କଥା ଉଠାଇଛନ୍ତି । ଥରେ ଲୋମଶ ମୁନି ମଥୁରାରେ ପହଁଞ୍ଚିଲେ । ଦେବକୀ ଓ ବାସୁଦେବ ତାଙ୍କର ଅଭ୍ୟର୍ଥନା କଲେ । ଦେବକୀଙ୍କର ବିଷାଦମଳିନ ମୁଖ ଦେଖି ଲୋମଶ ତାଙ୍କୁ କୁକ୍‌କୁଟୀ ବ୍ରତ କଥା କହିଲେ । ଏହିବ୍ରତ ପୂର୍ବେ ଅଯୋଧ୍ୟାର ରାଜା ନହୁଷଙ୍କ ପତ୍ନୀ ଚନ୍ଦ୍ରମୁଖୀ ଓ ତାଙ୍କ ପୁରୋହିତଙ୍କ ପତ୍ନୀ ମେନା ସରଯୂ ନଦୀ କୂଳରେ କରିଥିଲେ । ଚନ୍ଦ୍ରମୁଖୀ ଓ ମେନା ସରଯୂ ନଦୀକୁ କରିବା ପାଇଁ ସ୍ନାନ ପାଇଁ ଯାଇଥିଲେ । ସେଠାରେ କେତେକ ରମଣୀ ସ୍ନାନ ପରେ ମଣ୍ଡଳ କାଟି ସେଥିରେ ଉମା ମହେଶ୍ୱରଙ୍କ ପ୍ରତିମୂର୍ତ୍ତି ଆଙ୍କି ପୂଜା କରୁଥିଲେ । ପୂଜା ସାରି ହାତରେ ରକ୍ତ ବର୍ଣ୍ଣର ଡୋର ବାନ୍ଧିଲେ । ଚନ୍ଦ୍ରମୁଖୀ ଓ ମେନା ସେମାନଙ୍କ ଠାରୁ ବ୍ରତଫଳ ଓ ପାଳନ ବିଧି ବୁଝିଲେ । ସେଦିନ ସେମାନଙ୍କ ସହ ବ୍ରତ କରି ହାତରେ ଡୋର ବାନ୍ଧି ବାହୁଡ଼ିଲେ । ତା’ପରେ ଚନ୍ଦ୍ରମୁଖୀ ଗର୍ବରେ ଡୋର ପିନ୍ଧିଲେ ନାହିଁ । ମେନା ମଧ୍ୟ ବ୍ରତ ଭୁଲିଗଲେ । ଫଳରେ ଚନ୍ଦ୍ରମୁଖୀ ମର୍କଟୀ ଓ ମେନା କୁକ୍‌କୁଟୀ ହୋଇ ଜନ୍ମ ହେଲେ । କିନ୍ତୁ ମେନା ଏହି କୁକ୍‌କୁଟୀ ଜନ୍ମରେ ପୁନର୍ଜନ୍ମ କଥା ମନେ ରଖିଥିଲେ । ତେଣୁ ସେ ମନେମନେ ଶିବଙ୍କୁ ସ୍ତୁତି କଲେ ।

କିଛି କାଳପରେ ଚନ୍ଦ୍ରମୁଖୀ ଗୋଟିଏ ରାଜ୍ୟରେ ଇଶ୍ୱରୀ ନାମକ ରାଣୀହୋଇ ଜନ୍ମ ହେଲେ । ମେନା ସେହି ରାଜ୍ୟର ରାଜପୁରୋହିତ ଅଗ୍ନିମନ୍ଦିଙ୍କ ପତ୍ନୀ ହେଲେ । ଏଜନ୍ମରେ ତାଙ୍କର ନାଁ ହେଲା ଭୂଷଣା । ସେ ପୂର୍ବଜନ୍ମ ପରି ଏଜନ୍ମରେ ମଧ୍ୟ ଜାତିସ୍ମର ହେଲେ । ଭୂଷଣା ବ୍ରତ ପାଳୁଥିଲେ । ତାଙ୍କର ଆଠଟି ପୁତ୍ର ଥିଲେ । ପାରିବାରିକ ଜୀବନ ଆନନ୍ଦମୟ ଥିଲା । ଅପରପକ୍ଷରେ ଇଶ୍ୱରୀଙ୍କର ଗୋଟିଏ ପୁଅ । ସେ ସବୁବେଳେ ରୁଗ୍‌ଣ । ନଅ ବର୍ଷ ବୟସରେ ତାର ମୃତ୍ୟୁ ଘଟିଲା । ଇଶ୍ୱରୀ ଦୁଃଖରେ ଭାଙ୍ଗି ପଡ଼ିଲେ । ଭୂଷଣା ତାଙ୍କ ପ୍ରତି ସମବେଦନାଶୀଳା ଥିଲେ । ମାତ୍ର ଇଶ୍ୱରୀ ଇର୍ଷା ପରାୟଣ ଥିଲେ । ସେ ଛଳନାପୂର୍ଣ୍ଣ ବ୍ୟବହାର ଦେଖାଇ ଭୂଷଣାଙ୍କ ପୁତ୍ରମାନଙ୍କୁ ମାରିବାକୁ ବହୁବାର ଉଦ୍ୟମ କରିଥିଲେ । ମାତ୍ର ଭୂଷଣାଙ୍କର ବ୍ରତ ପ୍ରଭାବରୁ ତାଙ୍କର କିଛି କ୍ଷତି ହେଲାନାହିଁ । ଦିନେ ଇଶ୍ୱରୀ ଭୂଷଣାଙ୍କ ଠାରୁ ପୂର୍ବଜନ୍ମ ପ୍ରସଙ୍ଗ ଓ ବ୍ରତ ପାଳନ ପାଇଁ ପରାମର୍ଶ ଶୁଣିଲେ । ବିଧି ଅନୁସାରେ ବ୍ରତ ପାଳିଲେ । ତାଙ୍କ ଜୀବନରେ ପୁଣି ସୁଖ ସମ୍ପଦ ଫେରିଲା । ମୃତବତ୍ସା ଦୋଷ ଦୂର କରିବା ପାଇଁ ଏହି ବ୍ରତ ପାଳନ କରାଯାଏ । ଲୋମଶ ମୁନି ଦେବକୀଙ୍କୁ ଏହି ବ୍ରତ ପାଳନ ପାଇଁ କହିଥିଲେ । କୁକ୍‌କୁଟୀ ବ୍ରତ ଅନ୍ୟ ବ୍ରତ ଓ ଓଷା ପରି ସକଳ ଧର୍ମ କୃତ୍ୟ । ଏଥିରେ ଉମା ମହେଶ୍ୱରଙ୍କୁ ପୂଜା କରାଯାଏ ।

Comments are closed.