ଆଜିଠାରୁ ନୂଆ ଏସଓପିରେ ଜଗା ଦର୍ଶନ : ଭକ୍ତ ନେଇପାରିବେ ଭୋଗ, ଜାଳିପାରିବେ ଦୀପ, ଦର୍ଶନ ଅବଧି ୨ ଘଣ୍ଟା ବୃଦ୍ଧି

ପୁରୀ – ତିନିଦିନ ଦର୍ଶନ ବନ୍ଦ ରହିଲା ପରେ ଆଜିଠାରୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଆଜିଠାରୁ ନୂଆ ଏସଓପି ଅନୁସାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ନୂଆ ଏସଓପି ଅନୁସାରେ କିଛି କଟକଣା କୋହଳ କରାଯାଇଛି । ଏଥର କେବଳ ରବିବାର ହିଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଆନନ୍ଦ ବଜାରରେ ଭକ୍ତ ମହାପ୍ରସାଦ ଖାଇବା ନେଇ ଯେଉଁ କଟକଣା ଥିଲା, ତାହା ଏବେ ଉଠାଇ ଦିଆଯାଇଛି । ଏଣିକ ଦର୍ଶନ ସମୟ ସକାଳ ୭ଟାରୁ ରାତି ୯ଟା ଯାଏଁ ରଖାଯାଇଛି । ପୂର୍ବରୁ ଏହା ରାତି ୭ଟା ଯାଏଁ ଥିଲା । ଏବେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଦୀପ ଜାଳିପାରିବେ । କେବଳ ମନ୍ଦିର ପ୍ରଶାସନ ସ୍ଥିର କରିଥିବା ସ୍ଥାନରେ ଦୀପ ଜାଳିପାରିବେ ଭକ୍ତବୃନ୍ଦ । ମନ୍ଦିର ଭିତରକୁ ଭୋଗ ଓ ଫୁଲ ନେବା ପାଇଁ ଥିବା ପୂର୍ବର କଟକଣା ମଧ୍ୟ ଆଜିଠାରୁ ହଟିଛି । ପୂର୍ବପରି ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ କୋଭିଡ ଟିକାର ଡବଲ ଡୋଜ୍ ସାର୍ଟିଫିକେଟ ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । କିନ୍‌ତୁ ପୂର୍ବ ଭଳି ପ୍ରମୁଖ ପର୍ବପବାଣୀରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।

Comments are closed.