ମିଛ ଅପହରଣର ନାଟକର ଯବନିକା, ସ୍ୱିଗି ଡେଲିଭରି ବୟ ଓ ପ୍ରେମିକାକୁ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର – ବିବାହିତ ସତ୍ତ୍ୱେ ଅନ୍ୟଜଣେ ଯୁବତୀଙ୍କ ପ୍ରେମରେ ପଡି ନିଜେ ହିଁ ନିଜର ଅପହରଣ ନାଟକ ରଚିଥିବା ସ୍ୱିଗି ଡେଲିଭରି ବୟ ପତିତପାବନ ପୃଷ୍ଟିକୁ ମଧ୍ୟପ୍ରଦେଶରୁ ଭୁବନେଶ୍ୱରକୁ ଆଣିଛି ପୋଲିସ । ତାର ପ୍ରେମିକାକୁ ମଧ୍ୟ ଭୁବନେଶ୍ୱର ଅଣାଯାଇଛି । ଗତ ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଷ୍ଟେସନରେ ଦୁହିଁଙ୍କୁ ଅଟର ରଖିଥିଲା ରେଳବାଇ ପୋଲିସ । ପରେ କମିଶନରେଟ ପୋଲିସର କେ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲା । ଗତ ରବିବାର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପରହଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଯୁବକଙ୍କ ପରିବାରକୁ ଏକ ଭଏସ ମେସେଜ ଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଧଉଳି ଥାନା ପୋଲିସ ଘଟଣାର ଯାଂଚ୍ କଲାବେଳେ ଘଟଣାରେ ଆଉ ଏକ ଟ୍ୱିଷ୍ଟ ଆସିଥିଲା । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପତିତପାବନ ଅପହରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ପତିତପାବନ ଓ ତା ପ୍ରେମିକାକୁ ମଧ୍ୟପ୍ରଦେଶରୁ କଟନୀରେ ଠାବ କରିଥିଲା ରେଳବାଇ ପୋଲିସ । ପରେ ଜଣାପଡିଥିଲା ଯେ, ପତିତପାବନ ହିଁ ନିଜ ଅପହରଣର ନାଟକ ରଚିଥିଲା । ପତିତପାବନ ଓ ତାଙ୍କ ପ୍ରେମିକାକୁ ଧଉଳି ଥାନା ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି ।

Comments are closed.