ଦେବଶିଳ୍ପୀ ବିଶ୍ୱକର୍ମା

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।

ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।

ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଉଛି ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।

ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।

Comments are closed.