ଶ୍ରୀମନ୍ଦିରରେ କଂସବଦ୍ଧ ନୀତି ସମ୍ପର୍ଣ୍ଣ

ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳା ରେ ଆଜିଥିଲା କଂସବଦ୍ଧ ଲୀଳା। ଏଥିପାଇଁ ଲବଣିଖିଆ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ଏହି ସ୍ଥାନ ପାଲଟିଥିଲା ମଥୁରା ନଗରୀ।

ଶ୍ରୀମନ୍ଦିର ରେ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ଦ୍ବୀପହର ଧୂପନୀତି ପରେ ଦକ୍ଷିଣୀ ଘରୁ ଶ୍ରୀରାମ କୃଷ୍ଣ ଚଳନ୍ତି ବିଗ୍ରହ ରତ୍ନସିଂହାସନ କୁ ବିଜେ କରିଥିଲେ। ବଳଭଦ୍ରଙ୍କ ବାଡ଼ରୁ ଶ୍ରୀବଳରାମ ଓ ଜଗନ୍ନାଥଙ୍କ ବାଡ଼ରୁ ଶ୍ରୀକୃଷ୍ଣ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ। ଏହାପରେ ମୁକ୍ତି ମଣ୍ଡପ ତଳେ ଥିବା ପାଲିଙ୍କିରେ ବସି ଘଣ୍ଟ, ଛତା ଓ କାହାଳୀ ସହିତ ଦୁଇ ଭାଇ ଲବଣିଖିଆ ଛକ ସ୍ଥିତ ଲବଣିଖିଆ ମଠ କୁ ବିଜେ କରିଥିଲେ। ଏହି ସ୍ଥାନରେ ମହାଭୋଇ ସମ୍ପ୍ରଦାୟର ନବଵଧୁ ମାନେ ଶ୍ରୀରାମକୃଷ୍ଣ ଙ୍କୁ ଲବଣି ମଣୋହି କରାଇଥିଲେ। ଏଠାରେ ଶୀତଳ ଭୋଗ ପରେ ଚଳନ୍ତି ବିଗ୍ରହ ମାରିଚି କୋଟ ଛକ ଠାରେ ମଲ୍ଲଯୁଦ୍ଧ ପ୍ରସ୍ତାବ ଅନୁଷ୍ଠିତ ହୋଇଥିଲା।ଏହାପରେ ଶ୍ୟାମକୁଞ୍ଜ ଗଳି ଠାରେ ରଜକ ଉଦ୍ଧାର ପ୍ରସ୍ତବ ରେ ପ୍ରଭୁ ରଜକ କୁ ଉଦ୍ଧାର କରିଥିଲେ। ଶ୍ରୀନହର ସମ୍ମୁଖରେ କୁବଜା ବେଶ ଧାରୀ ସେବକ ଙ୍କ ହାତରୁ ପ୍ରଭୁ ଚନ୍ଦନ ଗ୍ରହଣ କରି ତାକୁ କୁବଜା ରୁ ଦିବ୍ୟ ସୁନ୍ଦରୀ ନାରୀରେ ପରିଣତ କରିଥିଲେ।

ଏହାପରେ ସିଂହଦ୍ଵାର ସମ୍ମୁଖରେ କଂସବଦ୍ଧ ଅନୁଷ୍ଠିତ ହୋଇଥିଲା। ଭିତରଛୁ ମହାପାତ୍ର ବିଡ଼ିଆ ଲାଗି ବନ୍ଦାପନା କରିବାପରେ କଂସ ବେଶରେ ସଜ୍ଜିତ ଜଣେ ସେବକ ଆଜ୍ଞାମାଳ ପାଇ ପ୍ରଭୁଙ୍କ ସମୀପରେ ଧରାଶାୟୀ ହୋଇଥିଲେ। କଂସ ବଦ୍ଧ ନୀତି ପରେ ଚଳନ୍ତି ବିଗ୍ରହ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ। ଏହାପରେ ଶ୍ରୀମନ୍ଦିର ର ଦୈନନ୍ଦିନ ନୀତି ବଢ଼ିଥିଲା।

Comments are closed.