ଶ୍ରୀମନ୍ଦିର ଓ ଶ୍ରୀନହରରେ ସୁନିଆଁ ପର୍ବ ପାଳିତ

ପୁରୀ : ଭାଦ୍ରବ ମାସ ଶୁକ୍କପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି। ସେପଟେ ରାଜନଅରରେ ରାତ୍ରରେ ସୁନିଆଁ ପର୍ବ ପାଳିତ ହୋଇଯାଇଛି। ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି। ମହାରାଜଙ୍କ ଶାସନର ୬୪ ଅଙ୍କ ଓ ୧୪୨୯ ସାଲ୍ ଆଜି ଠାରୁ ଆରମ୍ଭ ହୋଇଛି। ଗଜପତି ମହାରାଜାଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ଆଜି ଠାରୁ ପ୍ରଚଳିତ ହୋଇଛି। ପାରିଷଦ ବର୍ଗ ଏହି ଅବସର ରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ଦେଇଛନ୍ତି।

ପରମ୍ପରା ଅନୁଯାୟୀ, ଆଜି ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ଟେରା ପଡ଼ିବା ପରେ ଜୟ-ବିଜୟ ଦ୍ବାର ବନ୍ଦ କରାଯାଇ ମୁରୁଜରେ ମଣ୍ଡଳ ପଡ଼ିଥିଲା। ମୁଦିରସ୍ତ ଧଣ୍ଡିପ୍ରସାଦ ଲାଗି କଲା ପରେ ବାମନ (ଶ୍ରୀକୃଷ୍ଣ) ମଣ୍ଡଳକୁ ବିଜେ କରିଥିଲେ। ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା, ବ୍ରହ୍ମବରଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଖଣ୍ଡୁଆ ଯୋଡ଼ାଯାଇ ଜନ୍ମବିଧି ଅନୁଷ୍ଠିତ ହୋଇଥିଲା। ଏହା ପରେ କ୍ଷୀର, ସର, ଲହୁଣୀ ଭୋଗ ହୋଇ ସୋମନାଥ ମାଜଣା ମଣ୍ଡପ ଖଟକୁ ବିଜେ କରିଥିଲେ। ପରେ ପତି ମହାପାତ୍ର ରୁପା ବଟାରେ ଶ୍ରୀଦୁର୍ଗା ଦେବୀଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇଥିଲେ। ଏଠାରେ ବସୁଧାରା ଓ ଯଜ୍ଞ ବିଧି ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା।

ସେପଟେ ସଂଧ୍ୟାରେ ରାଜନଅର ସୁନିଆଁ ପାଇଁ ଉତ୍ସବମୁଖର ହୋଇ ଉଠିଥିଲା। ପାରିଷଦ ବର୍ଗ ଗଜପତି ମହାରାଜଙ୍କୁ ବନ୍ଦାପନା ସହ ସୁନିଆଁ ଭେଟି ଦେଇଥିଲେ। ବିଜେ କାହାଳୀ ସହ ସୁନିଆଁ ପର୍ବ ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ଆରମ୍ଭର ପ୍ରଥମ ଦିନ ହେଉଛି ସୁନିଆଁ। ପ୍ରତିବର୍ଷ ଏହି ଦିନ ଗଜପତି ମହାରାଜଙ୍କ ନୂଆ ଅଙ୍କ ଗଣନା କରାଯାଇଥାଏ। ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା। ଏହି ଅବସରରେ ଗଜପତି ମହାରାଜ ଗାଦି ଘରକୁ ଯିବା ପରେ ପୂଜାର୍ଚ୍ଚନା କରାଯାଇଥିଲା।

ପଞ୍ଚଦେବଙ୍କୁ ପୂଜା ସହ ମଙ୍ଗଳାର୍ପଣ କରା ଯାଇଥିଲା। ପରେ ଗଜପତି ମହାରାଜ ଗାଦିରେ ଅଧିଷ୍ଠିତ ହୋଇଥିଲେ। ତାଙ୍କ ନାଁରେ ସୁନାର ନୂଆ ମୁଦ୍ରା ପ୍ରଚଳିତ ହୋଇଥିଲା। ଯେଉଁଥିରେ ନୂଆ ଅଙ୍କ ଓ ସାଲ୍ ଉଲ୍ଲେଖ ରହିଥିଲା। ପାରିଷଦ ବର୍ଗ ଏହି ଅବସରରେ ଗଜପତି ମହାରାଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭାର୍ଶୀର୍ବାଦ ଦେଇଥିଲେ। ଭିନ୍ନ ଭିନ୍ନ ସୁନିଆଁ ଭେଟି ଦେବା ସହ ମଙ୍ଗଳକାମନା କରିଥିଲେ।

Comments are closed.