ଭାଦ୍ରବ ମାସ ପୂର୍ଣ୍ଣିମା ଦିନ ସର୍ବତ୍ର ଶ୍ରୀ ଭାଗବତ ଜନ୍ମ ପାଳନ କରାଯାଇଥାଏ। ଏହି ପବିତ୍ର ଦିନ କଳି ପାବନ ମହାନ ଶାସ୍ତ୍ର ଶ୍ରୀମଦ୍ଭାଗବତଙ୍କ ଆବିର୍ଭାବ ହୋଇଥିଲା। ଭଗବାନ ସ୍ୱୟଂ ନିଜ ମୁଖରେ କହିଛନ୍ତି କଳିଯୁଗରେ ଏହି ଗ୍ରନ୍ଥ ହିଁ ତାଙ୍କର ସ୍ୱରୂପ। ଏହା ସ୍ୱୟଂ ପ୍ରକାଶିତ ହୋଇଥିଲେ ମଧ୍ୟ ଭଗବାନ ବ୍ୟାସଦେବଙ୍କ ଦ୍ଵାରା ଆଜି ଦିନରେ ଏହା ଆତ୍ମ ପ୍ରକାଶ କରିଥିଲେ।
ଭଗବାନ ବ୍ୟାସଦେବଙ୍କ ଦ୍ବାରା ରଚିତ ” ଶ୍ରୀମଦ୍ଭାଗବତ ” ମହାପୁରାଣରେ ପରମ ଧର୍ମ ଓ ବିଶୁଦ୍ଧ ଜ୍ଞାନ ହିଁ ନିରୂପଣ କରାଯାଇଛି । ଏହି ” ଭାଗବତଧର୍ମ ” ଆମ୍ଭମାନଙ୍କୁ ଜନ୍ମମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଇଥାଏ । ଯେଉଁ ସନ୍ଥଜନଙ୍କ ମନରେ କୌଣସି ପ୍ରକାର ବିକାର ନଥାଏ, ସେହି ଶୁଦ୍ଧହୃଦୟ ପୁରୁଷ ହିଁ ଏହି ତତ୍ତ୍ବ ଜାଣିପାରନ୍ତି । ଏହା ତ୍ରିବିଧ ତାପକୁ ସମୂଳେ ନାଶ କରି ପରମ କଲ୍ୟାଣ ସାଧନ କରିଥାଏ । ଏପରି ଶାସ୍ତ୍ର ଥାଉ ଥାଉ ଅନ୍ୟ ଶାସ୍ତ୍ରର ଆବଶ୍ୟକତା ବା କ’ଣ ! ପୁଣ୍ୟବାନ୍ ଲୋକ ଏହି ଗ୍ରନ୍ଥ ଶୁଣିବାକୁ ଇଚ୍ଛା କରିବାକ୍ଷଣି ତାଙ୍କ ହୃଦୟରେ ଈଶ୍ୱର ଆସି ଅବିଚଳିତ ଭାବରେ ପ୍ରତିଷ୍ଠିତ ହୋଇଯାଆନ୍ତି । ଶ୍ରୀମଦ୍ଭାଗବତ ହେଉଛି ବେଦରୂପୀ କଳ୍ପବୃକ୍ଷର ସୁପକ୍ବ ଫଳ। ଏଥିରେ କେବଳ ରସ ହିଁ ପରିପୂର୍ଣ୍ଣ ହୋଇ ରହିଛି । ଶ୍ରୀଶୁକଦେବଙ୍କ ମୁଖକମଳର ମକରନ୍ଦରସ ମିଶି ଏହା ଆହୁରି ଅଧିକ ପରମାନନ୍ଦମୟୀ ସୁଧାରେ ପୂର୍ଣ୍ଣ ହୋଇଯାଇଛି । ତେଣୁ ହେ ରସଜ୍ଞ ଭାବୁକ ଭକ୍ତଗଣ ! ଏହି ଦିବ୍ୟ ଅମୃତ ଏବେ ଭୂଲୋକରେ ସୁଲଭ ହୋଇଗଲା । ତେଣୁ ମୋକ୍ଷ ନହେବା ପର୍ଯ୍ୟନ୍ତ ଏହାକୁ ବାରମ୍ବାର ପାନ କର ।
‘ଆନନ୍ଦେ କର ସୁଧାପାନ
ଯେଣେ ପାଇବ ଦିବ୍ୟଜ୍ଞନ’
ବ୍ରହ୍ମା କହୁଛନ୍ତି :- ଯାହାଙ୍କର ଦୁର୍ଜୟ ମାୟାରେ ମୋହିତ ହୋଇ ଲୋକେ ମୋତେ ଜଗତଗୁରୁ ବୋଲି ଭାବୁଛନ୍ତି, ସେହି ଭଗବାନ୍ ବାସୁଦେବଙ୍କୁ ମୁଁ ବନ୍ଦନା କରୁଛି; ତାଙ୍କୁ ଧ୍ୟାନ ମଧ୍ୟ କରୁଛି । ଏହି ମାୟା ତ ତାଙ୍କ ଦୃଷ୍ଟିପଥରେ ଅତ୍ୟନ୍ତ ସଂକୋଚ ପୂର୍ବକ ଭୟାତୁରା ହୋଇ ରହିଥାଏ; କିନ୍ତୁ ସଂସାରର ଅଜ୍ଞାନୀ ଲୋକେ ଏହି ମାୟାଦ୍ବାରା ମୋହିତ ହୋଇ ସବୁକଥାରେ ” ମୁଁ ଓ ମୋର ” ବୋଲି ବୃଥା ଆସ୍ଫାଳନ କରୁଥାନ୍ତି । ଏକମାତ୍ର ଭଗବାନଙ୍କ ବ୍ୟତୀତ ଦ୍ରବ୍ଯ, କର୍ମ, କାଳ,ସ୍ବଭାବ ଓ ଜୀବ ବୋଲି ତତ୍ତ୍ବତଃ କିଛି ବସ୍ତୁ ନାହିଁ । ନାରାୟଣଙ୍କୁ ଜାଣିବା ନିମନ୍ତେ ହିଁ ଜ୍ଞାନ ଅର୍ଜନ କରାଯାଏ । ନାରାୟଣଙ୍କୁ ପାଇବାରେ ହିଁ ସକଳ ସାଧ୍ୟ ଓ ସାଧନର ପରିସମାପ୍ତି ଘଟିଥାଏ । ଇନ୍ଦ୍ରିୟାତୀତ ଭଗବାନ୍ ତିନିଗୁଣର ଆବରଣରେ ନିଜ ସ୍ବରୂପକୁ ଆବୃତ କରିଦିଅନ୍ତି, ତେଣୁ ଲୋକେ ତାଙ୍କୁ ଚିହ୍ନିପାରନ୍ତି ନାହିଁ । ଏକମାତ୍ର ସେ ହିଁ ହେଉଛନ୍ତି ମୋର ତଥା ସମଗ୍ର ସଂସାରର ସ୍ବାମୀ ।
ଭଗବାନ୍ ଶ୍ରୀକୃଷ୍ଣ ହିଁ ହେଉଛନ୍ତି ଅସଂଖ୍ୟ ଜୀବମାନଙ୍କରେ ପରିପୂର୍ଣ୍ଣ ଏହି ବ୍ରହ୍ମାଣ୍ଡରୂପୀ ବୃକ୍ଷର ମୂଳ । ତେଣୁ ଶ୍ରୀକୃଷ୍ଣଙ୍କୁ ପୂଜା କଲେ ସକଳ ଜୀବଙ୍କର ଆତ୍ମା ତୃପ୍ତ ହୋଇଯାଏ । ସେ ହିଁ ମନୁଷ୍ୟ, ପଶୁପକ୍ଷୀ, ୠଷି ଓ ଦେବତା ଆଦିଙ୍କ ଶରୀରରୂପୀ ପୁରରେ ଜୀବରୂପେ ଶୟନ ବି କରନ୍ତି । ଏଥିପାଇଁ ତାହାଙ୍କର “ପୁରୁଷ” ବୋଲି ଗୋଟିଏ ନାମ ମଧ୍ୟ ରହିଛି । ଭଗବାନ୍ ସବୁଠାରେ ଏକା ପରି ରହୁଥିଲେ ମଧ୍ୟ, ମନୁଷ୍ୟାଦିଙ୍କ ଠାରେ ସେମାନଙ୍କ ବିଭିନ୍ନତା ହିସାବରେ ନ୍ୟୁନାଧିକରୂପରେ ପ୍ରକାଶମାନ ହୁଅନ୍ତି । ତେଣୁ ପଶୁପକ୍ଷୀ ଆଦି ଶରୀରଧାରୀଙ୍କ ଅପେକ୍ଷା ମନୁଷ୍ୟ ହିଁ ଶ୍ରେଷ୍ଠ ପାତ୍ର ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ବି ଯାହାଙ୍କ ଠାରେ ଭଗବାନଙ୍କ ଅଂଶ ହୋଇଥିବା ତପଯୋଗାଦି ଯେତେ ଅଧିକ ପରିମାଣରେ ଦେଖିବାକୁ ମିଳେ, ସେ ସେତେ ଅଧିକ ଶ୍ରେଷ୍ଠ ।
Comments are closed.