ଗଣେଶ ଚତୁର୍ଥୀରେ ଗଣପତିଙ୍କ ପୂଜା

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସର୍ବତ୍ର ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଛାତ୍ର ଛାତ୍ରୀ ଓ ଭକ୍ତମାନେ ଏହିଦିନ ବ୍ରତ ରଖିଥାନ୍ତି। ଏହି ପବିତ୍ର ତିଥିରେ ଭଗବାନ ଶ୍ରୀଗଣେଶଙ୍କ ଜନ୍ମ ହୋଇଥିଲା। ଶ୍ରୀଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ସକଳ ବିଦ୍ୟା ଓ ବୁଦ୍ଧିର ପ୍ରଦାୟକ। ତାଙ୍କ ଜନ୍ମ ସମ୍ବନ୍ଧରେ ଏକ ରୋଚକ କାହାଣୀ ରହିଛି।

ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କରିଥିଲେ । ତାହା ଏତେ ସୁନ୍ଦର ହୋଇଗଲା ଯେ ପାର୍ବତୀ ଶେଷରେ ତାକୁ ଜୀବ ଦାନ ଦେଇ ନିଜର ପୁତ୍ର ଭାବରେ ଗ୍ରହଣ କଲେ। କିଛିଦିନ ଅନ୍ତେ ପାର୍ବତୀ ନିଜର ସାଧନା ନିମନ୍ତେ କୈଳାଶ ପର୍ବତର ଗିରି ଗୁହାରେ ଧ୍ୟାନମଗ୍ନ ରହିଲେ। ଏହି ସମୟ ରେ ଏହି ନୂତନ ପୁତ୍ରଙ୍କୁ ଦ୍ଵାର ଜଗାଇ ଗୁହା ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇଥିଲେ । ଠିକ ସେହି ସମୟରେ ମହାଦେବ କୈଳାସ କୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ି ନଥିଲେ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ସେଇ ଶିଶୁ ପୁତ୍ରର ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରିଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ତାଙ୍କର ପଡ଼ିଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟିଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ତାକୁ ଜୀବଦାନ କଲେ । ନିଜର ମାତୃ ଭକ୍ତିରେ ସନ୍ତୁଷ୍ଟ ହୋଇ ମହାଦେବ ନିଜର ପ୍ରମଥ ଗଣଙ୍କର ସେନାପତି ଭାବରେ ତାଙ୍କୁ ନିଯୁକ୍ତ କରିଥିଲେ। ଏହାସହ ସିଏ ସମସ୍ତ ଦେବଗଣଙ୍କ ଅଗ୍ରପୂଜ୍ୟ ହେବେ ବୋଲି ବରଦାନ କଲେ। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ଵତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦନ, ରକ୍ତ ପୁଷ୍ପ ଓ ଦୁବରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ପୃଥୁଳ ପେଟ ଓ ସର୍ପ ପଇତା । ଏହାଙ୍କର ବାହନ ହେଉଛନ୍ତି ମୂଷା ।

ଶ୍ରୀଗଣେଶ ହେଉଛନ୍ତି ସମସ୍ତ ଵିଘ୍ନହର୍ତା। ଗଣେଶ ଚତୁର୍ଥୀରେ ଗଣେଶଙ୍କ ପୂଜା କରନ୍ତୁ ଏବଂ ଶ୍ରୀ ଗଣେଶାୟ ନମଃ ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ଜପ ଅତିକମରେ ୧୦୮ଥର କରନ୍ତୁ। ପୂଜାରେ ଗୋଟିଏ ବିଶେଷ କଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ। ଭଗବାନ ଗଣେଶଙ୍କୁ ତୁଳସୀ ଚଢ଼ାନ୍ତୁ ନାହିଁ। ଏହି ସମ୍ବନ୍ଧରେ ତୁଳସୀ ଏବଂ ଗଣେଷଙ୍କ ସହ ଜଡ଼ିତ ଏକ କଥା ପ୍ରଚଳିତ ରହିଛି।

ପ୍ରଚଳିତ କଥା ଅନୁସାରେ ଆଗକାଳରେ ତୁଳସୀ ଭଗବାନ ଗଣେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତୁଳସୀ ଗଣେଶଙ୍କୁ ବିବାହ କରିବାକୁ ପ୍ରାର୍ଥନା କରିଥିଲେ, କିନ୍ତୁ ଗଣେଶ ବିବାହ କରିବାକୁ ମନା କରି ଦେଇଥିଲେ। ଗଣେଶ ମନା କରିଦେବାରୁ ତୁଳସୀ ରାଗି ଯାଇଥିଲେ। ତୁଳସୀ ରାଗିଯାଇ ଗଣେଶଙ୍କୁ ୨ଟି ବିବାହ ହେବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ ଯୋଗୁଁ ଗଣେଶ ମଧ୍ୟ ତୁଳସୀଙ୍କ ଉପରେ ରାଗି ଯାଇଥିଲେ ଏବଂ ସେ ମଧ୍ୟ ତୁଳସୀଙ୍କୁ ଅଭିଶାପ ଦେଇ କହିଥିଲେ ଯେ ତାଙ୍କର ବିବାହ ଜଣେ ଅସୁରଙ୍କ ସହ ହେବ।

ଅସୁରଙ୍କ ସହ ବିବାହ ହେବାର ଅଭିଶାପ ଶୁଣି ତୁଳସୀ ଦୁଃଖୀ ହୋଇଯାଇଥିଲେ,ସେ ଗଣେଶଙ୍କୁ ନିଜ ବ୍ୟବହାର ପାଇଁ କ୍ଷମା ମାଗିଥିଲେ। ଗଣେଶ କହିଥିଲେ ଯେ ତାଙ୍କର ବିବାହ ଜଳନ୍ଧରଙ୍କ ସହ ହେବ କିନ୍ତୁ ସେ ଭଗବାନ ବିଷ୍ଣୁଙ୍କର ପ୍ରିୟ ହେବା ସହ ପୂଜା ମଧ୍ୟ ପାଇବେ। କିନ୍ତୁ ତାଙ୍କ ପୂଜାରେ ସେ ବର୍ଜିତ ହେବେ। ଏଥିପାଇଁ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ।

ଚତୁର୍ଥୀ ତିଥିରେ ସକାଳେ ଶୀଘ୍ର ଉଠି ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଚଢ଼ାନ୍ତୁ। ଏହା ପରେ ଘରେ ହେଉ ଅବା ମନ୍ଦିରରେ ଗଣେଶଙ୍କ ପୂଜା କରନ୍ତୁ। ପୂଜାରେ ଭଗବାନଙ୍କୁ ସ୍ନାନ କରାନ୍ତୁ। ବସ୍ତ୍ର ଅର୍ପଣ କରନ୍ତୁ। ତିଳକ ଲଗାନ୍ତୁ। ଆଭୂଷଣ ଚଢ଼ାନ୍ତୁ। ଦୁବ ଅର୍ପଣ କରନ୍ତୁ। ଘରେ ପ୍ରସ୍ତୁତ ହୋଇଥିବା ମିଠା ବ୍ୟଞ୍ଜନ ଭୋଗ ଲଗାନ୍ତୁ। ଧୂପ-ଦୀପ ଜଳାନ୍ତୁ। ଆଳତୀ କରନ୍ତୁ। ପରିକ୍ରମା କରନ୍ତୁ। “ଓଁ ଗଂ ଗଣପତୟୈ ନମଃ ” ମନ୍ତ୍ର ଜପ କରନ୍ତୁ। ପୂଜା ପରେ ପ୍ରସାଦ ଅନ୍ୟ ଭକ୍ତଙ୍କୁ ବିତରଣ କରନ୍ତୁ।

Comments are closed.