ଅତିପ୍ରବଳ ବର୍ଷା ହେଲେ ହିଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିବ : ଏସଆରସି

ଭୁବନେଶ୍ୱର – ବାତ୍ୟା ଗୁଲାବ ସଂପର୍କରେ ସଦ୍ୟତମ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଏବେ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୪୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୯୦ କିଲୋମିର ଦୂରରେ ରହିଛି । ବିଗତ ୩ ଘଂଟା ହେଲା ଘଂଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟନମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ସଂଧ୍ୟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟା ଉପକୂଳ ଅତିକ୍ରମ କଲାବେଳେ ପବନର ବେଗ ଘଂଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ବେଗ ଘଂଟା ପ୍ରତି ୯୫ କିଲୋମିଟର ରହିପାରେ । ବାତ୍ୟା ପବନରେ ବିଦ୍ୟୁତ ଖୁଂଟ ଉପୁଡିପାରେ ବୋଲି ଏସଆରସି କହିଛନ୍ତି । ଭୂସ୍ଖଳନକୁ ଦୃଷ୍ଟିରେ ରଖି ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ସତର୍କ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି । ଅତିପ୍ରବଳ ବର୍ଷା ହେଲେ ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ନଦୀରେ ବନ୍ୟା ଆସିପାରେ । ଋଷିକୂଲ୍ୟା ଜଳଭଣ୍ଡାରରେ ଥିବା ପାଣି ୬୦ ପ୍ରତିଶତ ଖସାଇ ଦିଆଯିବ । ବଡ ବନ୍ୟାର ଆଶଙ୍କା ନାହିଁ ବୋଲି ଏସଆରସି କହିଛନ୍ତି । ଦିନ ୪ଟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ । ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି ।

Comments are closed.