୧୩ରେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଏଥରବି ଭକ୍ତଶୂନ୍ୟ ହେବ ଯାତ୍ରା

ଜାରି ହେବ ୧୪୪ ଧାରା , ମୁତୟନ ହେବେ ୫ ପ୍ଲାଟୁନ୍ ପୁଲିସ୍

ଭବାନୀପାଟଣା : ଏବର୍ଷ ବି କରୋନା କଟକଣା ମଧ୍ୟରେ ପାଳିତ ହେବ କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଆସନ୍ତା ଅକ୍ଟୋବର ୧୩ ତାରିଖରେ ହେବାକୁ ଥିବା ଏହି ଯାତ୍ରା ଏଥର ମଧ୍ୟ ବିନା ଭକ୍ତରେ ସଂପନ୍ନ ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଉ ସରକାରଙ୍କ ଗାଇଡଲାଇନ୍‌କୁ କଡାକଡି ପାଳନ ସକାଶେ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।

କଳାହାଣ୍ଡିର ଅଧୃଷ୍ଠାତ୍ରୀ ଦେବୀ ମା ’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ ଅନୁଷ୍ଠିତ ହେବ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଂପ୍ରତିକ କରୋନା ମହାମାରୀ ପରିସ୍ଥିତି ଯୋଗୁଁ ଏସଆରସି ଦ୍ଵାରା ଜାରି କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଏହି ପର୍ବ ପାଳିତ ହେବ । ବିନା ଭକ୍ତରେ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି କଳାହାଣ୍ଡି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡା.ଗଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଳିତ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ଦିଆଯାଇଛି । ଛତର ଯାତ୍ରା ପାଇଁ କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଅକ୍ଟୋବର ୧୨ତାରିଖ ମଧ୍ୟରାତ୍ରୀରୁ ତିନି ଦିନ ଧରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ସେହିପରି ମା ’ ମାଣିକେଶ୍ୱରୀଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ମହାରାଜା ଓ ମନ୍ଦିର କମିଟିର ନିର୍ଘଣ୍ଟ ତିଥ ସମୟ ଅନୁସାରେ ହିଁ ଛତର ଯାତ୍ରା ଅନୁଷ୍ଠିତ ହେବ । ୧୨ ତାରିଖ ଛତର ରାତି ୩ ଟାରୁ ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିବ । ସେଠାରେ ରୀତି ନୀତି ଓ ପୂଜାର୍ଚ୍ଚନା ପରେ ସକାଳ ୬ଟା ୩୦ମିନିଟରେ ଜେନାଖାଲରୁ ମାଁଙ୍କ ଛତର ଯାତ୍ରା ବାହାରି ମନ୍ଦିରରେ ସକାଳ ସାଢେ ୭ଟାରେ ପହଞ୍ଚିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ । ଛତର ସହିତ ରୀତିନୀତି ଓ ପୂଜାର୍ଚ୍ଚନା ପାଇଁ ମନ୍ଦିର ପକ୍ଷରୁ ନିର୍ଦ୍ଦିଷ୍ଟ ପୂଜକ , କମିଟି ସଦସ୍ୟ ଓ ଅନ୍ୟମାନଙ୍କ ସମେତ ପାରମ୍ପାରିକ ଭାବରେ ଗୋଟିଏ ଘୁମୁରା ଦଳ ଓ ମନ୍ଦିରର ବାଜା ଛତର ଯାତ୍ରାରେ ସାମିଲ ହେବେ ବୋଲି ନିଷ୍ପତି ହୋଇଛି । ତେବେ ଏବର୍ଷ ମଧ୍ୟ ମାଣିକେଶ୍ୱରୀଙ୍କ ଦର୍ଶନରୁ ଭକ୍ତ ବଂଚିତ ହେବେ । ସମଗ୍ର କାର୍ଯ୍ୟକ୍ରମ ବିନା ଭକ୍ତରେ ଅନୁଷ୍ଠିତ ହେବ । ଭକ୍ତ ଯେପରି ସୋସିଆଲ ମିଡିଆ ଓ ଟିଭିରେ ଲାଇଭ ମାଧ୍ୟମରେ ମାଙ୍କ ଦର୍ଶନ କରିବେ ସେଥିପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଶାନ୍ତି ଓ ଶୃଙ୍ଖଳା ସହି ଛତର ଯାତ୍ରା ସଂପନ୍ନ କରାଯିବାକୁ ପ୍ରଶାସନ ପକ୍ଷରୁ ଆହ୍ବାନ କରାଯାଇଛି । ଏହା ସହ ବଳି ପ୍ରଥା ଉପରେ କୋର୍ଟଙ୍କ ଯାହା ନିର୍ଦ୍ଦେଶ ରହିଛି ତାହା ପାଳନ କରାଯିବ ବୋଲି କୁହାଯାଇଛି ।

ବୈଠକରେ ଯୋଗ ଦେଇଥିବା ପୌରପାଳିକା , ବିଦ୍ୟୁତ , ଜନସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗକୁ ବିଭିନ୍ନ ଆନୁଷଙ୍ଗିକ ପ୍ରସ୍ତୁତି ଓ ଅବକାରୀ ବିଭାଗକୁ ସମସ୍ତ ମଦଦୋକାନ ବନ୍ଦ ରଖୁବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପ୍ରଶାସନର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

Comments are closed.