୫ ଗୋଟି ୱାର୍ଡର ଉନ୍ନୟନ କଥା ବୁଝିଲେ, ବୁଝାଇଲେ

ବ୍ରହ୍ମପୁର: ଆଗକୁ ପୌର ନିର୍ବାଚନ। ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେ ମତଦାତାଙ୍କ ନିକଟରେ ପହଞ୍ଚିବାକୁ ସହଜ ହେବ। ସେମାନଙ୍କୁ ବିଜେଡି ଶାସନ ଅମଳରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବୁଝାଇବାକୁ ହେବ। ଯଦିଓ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରାକୁ ଭଲ ଭାବେ ବୁଝିପାରିଛନ୍ତି, ତେବେ ବିରୋଧୀଙ୍କ ଭ୍ରମାତ୍ମକ ପ୍ରଚାରରେ ସେମାନେ ମଧ୍ୟ ଦ୍ବିଧାରେ ପଡ଼ିପାରନ୍ତି, ଦ୍ବନ୍ଦ୍ବର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସେମାନଙ୍କୁ ବିଜେଡି ସରକାରଙ୍କ ଦ୍ୱାରା ହୋଇଥିବା ଓ ଆଗକୁ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବୁଝାଇବାକୁ ହେବ ବୋଲି ବିଜେଡି ପୂର୍ବତନ କର୍ପୋରେଟର୍, ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓ.ଏସ୍.ଡି ଡ. ଗୋପବନ୍ଧୁ ଦାଶ।

ଗୋପାଳପୁର ନିର୍ବାଚନମଣ୍ଡଳୀ ଏବଂ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ୫ ଗୋଟି ୱାର୍ଡର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଏକ ଆଲୋଚନା ବୈଠକ ହୋଇଥିଲା। ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ରାଜସ୍ବ ଡାକବଙ୍ଗଳାରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ବ ବୁଝୁଥିବା ଡ. ଦାଶ। ବିଜେଡି ଯୁବ ନେତା ବନମାଳି ସେଠୀ ଓ ବରିଷ୍ଠ ନେତା ଭଗବାନ ଗନ୍ତାୟତଙ୍କ ଆବାହକତ୍ବରେ ଆୟୋଜିତ ବୈଠକରେ ପୂର୍ବତନ କର୍ପୋରେଟର୍ ଗୋପାଳ ରେଡ୍ଡୀ, ସି.ଏଚ୍.ଗଙ୍ଗାଧର ପାତ୍ର, ଉମାଚରଣ ନାୟକ, ଶାନ୍ତି ଦାସ, ଶୂନ୍ୟଚନ୍ଦ୍ର ଦାସ, ଆର୍.ରାଜେନ୍ଦ୍ର, ଜ୍ୟୋସ୍ନା ନାୟକ, ମଳୟ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ୱାର୍ଡ ନମ୍ବର ୩୬ରୁ ୪୦ ପର୍ଯ୍ୟନ୍ତ ଅଞ୍ଚଳରେ କଣ କଣ ଉନ୍ନୟନ କାମ ହୋଇଛି, ଆଗକୁ ଆଉ କଣ କରାଯିବାର ଆବଶ୍ୟକତା ରହିଛି ତାହା ବୁଝିବା ସହ କିଭଳି ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରି ଲୋକଙ୍କ ନିକଟରେ ତାହାର ସୁଫଳ ପହଞ୍ଚାଇ ପାରିବା ତାହା ବୁଝିବା ସହ ବୁଝାଇଥିଲେ ଡ. ଦାଶ। ସମସ୍ତ ୱାର୍ଡର ନାଳ, ରାସ୍ତା, ପାନୀୟ ଜଳ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଆଦି ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ସଭିଏଁ ନିଜ ନିଜ ୱାର୍ଡରେ ଯେପରି ଠିକା କାମ କରିପାରିବେ ତାହା ଉପରେ ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ୫ଟି ଯାକ ୱାର୍ଡରେ କଣ ସବୁ କରାଯିବ, ତାହା ଉପରେ ଏକ ଚିଠା ପ୍ରସ୍ତୁତ କରି ବ୍ରହ୍ମପୁର ମହାନଗର ନିଗମ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଓ.ଏସ୍.ଡି ଡ. ଦାଶ ଓ ଅନ୍ୟ ପଦାଧିକାରୀଙ୍କୁ ପ୍ରଦାନ କରାଯିବାକୁ ସ୍ଥିର କରାଯାଇ ଥିଲା। ହାତରେ ଅନେକ ସମୟ ଥିବାରୁ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ସେମାନଙ୍କୁ ବିଜେଡି ଶାସନର ସୁଫଳ ସମ୍ପର୍କରେ ଅବଗତ କରାଇବାକୁ ବୈଠକରେ ଚର୍ଚ୍ଚା କରାଯାଇ ଥିବା ଜଣାପଡ଼ିଛି।

Comments are closed.