ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର, ୩୦ରେ ଭୋଟ୍ ଗ୍ରହଣ

ପିପିଲି – ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । କୋରୋନା କଟକଣା ଯୋଗୁଁ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହେବ । ଗତ ୨୦ ତାରିଖରୁ ତିନି ପ୍ରମୁଖ ଦଳର ନେତାମାନେ ଦଳୀୟ ପ୍ରାର୍ଥାୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଆସୁଛନ୍ତି । ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ ଓ ଅକ୍ଟୋବର ୩ରେ ଫଳାଫଳ ଆସିବ । ବିଜେଡିର ଗଡ ରହିଆସିଥିବା ପିପିଲି ଆସନ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡିଛି । ଦୁଇ ଦୁଇ ଥର ଉପନିର୍ବାଚନ ସ୍ଥଗିତ ରଖାଯାଇସାରିଛି । ପ୍ରଥମେ ଏପ୍ରିଲ ୧୭ରେ ଉପନିର୍ବାଚନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡରେ ମୃତ୍ୟୁ ହେବାରୁ ମେ ୧୬ ତାରିଖକୁ ଘୁଂଚାଯାଇଥିଲା ଭୋଟ୍ ଗ୍ରହଣ । ହେଲେ କୋରୋନାର ମାରାତ୍ମକ ଦ୍ୱିତୀୟ ଲହର ଯୋଗୁଁ ପୁଣି ଏହା ସ୍ଥଗିତ ରଖାଗଲା ।

ପିପିଲ ମଇଦାନରେ ଏଥର ୧୦ ଜଣ ପ୍ରାର୍ଥୀ ରହିଥିଲ ମଧ୍ୟ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟୀ ମୁକାବିଲା ହେଉଛି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଆସନ୍ତାବର୍ଷର ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପିପିଲି ଉପନିର୍ବାଚନ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ବିଜେଡି ଏହି ଆସନ ବଜାୟ ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ବିଜେପି ଓ କଂଗ୍ରେସ ଶାସକ ଦଳକୁ କଡା ଟକ୍କର ଦେବେ ବୋଲି କହିଛନ୍ତି ।

Comments are closed.