ମୋ ସ୍କୁଲ: ୨୫ ଜିଲ୍ଲାର ୧୨୩୮ ବିଦ୍ୟାଳୟକୁ ୧୬ କୋଟି ୩୧ ଲକ୍ଷ ଟଙ୍କା ଅନୁଦାନ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟରେ ମୋଟ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ବରରେ ସର୍ବାଧିକ ୧ କୋଟି ୬୧ ଲକ୍ଷ , ଯାଜପୁରରେ ୫୦ ଲକ୍ଷ ୧୦ ହଜାର , କଟକରେ ୨୭ ଲକ୍ଷ ୩୯ ହଜାର , ଭଦ୍ରକରେ ୨୫ ଲକ୍ଷ ୮୭ ହଜାର ଏବଂ ବଲାଙ୍ଗୀରରେ ୨୪ ଲକ୍ଷ ୯୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଚଳିତ ମାସରେ ବାଲେଶ୍ୱର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ କ୍ରମାଗତ ୯ମ ଥର ପାଇଁ ରାଜ୍ୟସ୍ତରରେ ସର୍ବାଧିକ ଆର୍ଥକ ସହାୟତା ପ୍ରଦାନ କରିଛନ୍ତି । ସେହିଭଳି ଯାଜପୁର ଜିଲ୍ଲା ଏଥର ପ୍ରଥମଥର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଦ୍ବିତୀୟ ସ୍ଥାନରେ ରହିଛି । ଚଳିତ ମାସରେ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ିହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଣ କାର୍ଯ୍ୟକ୍ରମ , ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ବ୍ୟବସ୍ଥାରେ ଅକ୍ଟୋବର ସୁଦ୍ଧା ୧୨୭୨ଟି ବିଦ୍ୟାଳୟରେ ମେଣ୍ଟର ଓ ଅଂଶୀଦାରମାନଙ୍କୁ ନେଇ ବୈଠକ କରିବା ପାଇଁ ପ୍ରାରମ୍ଭିକ ଭାବେ ସ୍ଥିର କରାଯାଇଛି । ‘ ମୋ ସ୍କୁଲ ‘ ଅଭିଯାନ କାର୍ଯ୍ୟକ୍ରମରେ ବାକିଥିବା ବିଦ୍ୟାଳୟମାନଙ୍କରେ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରମୁଖ ସଚିବ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ ‘ମୋ ସ୍କୁଲ ଅଭିଯାନ’ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ବିଦ୍ୟାର୍ଥୀ ସଂଯୁକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ଥିବା ସମସ୍ତ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ସ୍କୁଲ ‘ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ ଭୁବନେଶ୍ବରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ପ୍ରାଥମିକ , ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ ମୋ ସ୍କୁଲ’କୁ ଏକ ସଫଳ ଅଭିଯାନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଜେବିର ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବିକାଶ ପାଇଁ ୨ ଲକ୍ଷ ୧୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାବେଳେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ କାର୍ଯ୍ୟର୍ନିବାହୀ ପରିଷଦ ମୋଟ ୬ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର କରିଥିଲେ । ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥରେ ବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ । ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସେଠାରେ “ ମୋ ସ୍କୁଲ ‘ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବାକୁ ପ୍ରମୁଖ ସଚିବ ସାହୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ ।

୫ – ଟି ‘ ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ହାଇସ୍କୁଲଗୁଡ଼ିକରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ‘ ମୋ ସ୍କୁଲ ‘ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ୫ଟି ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଅତିରିକ୍ତ ବଜେଟରେ “ ମୋ ସ୍କୁଲ’କୁ ୮୮୭ କୋଟି ଟଙ୍କା ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛି । ମୋ ସ୍କୁଲ ଅଭିଯାନ ’ ଅନ୍ତର୍ଗତ ସ୍କୁଲ ଆଡପସନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ମାସରେ ପୋଷ୍ୟ ଗୃହୀତ ହୋଇଥିବା ୬୫୩ ବିଦ୍ୟାଳୟରେ ୧୦ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲସ୍ତରରେ ଆଲୋଚନା ବୈଠକ କରାଯାଇଛି ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓଏସ୍‌ଇପିଏ , ନିର୍ଦ୍ଦେଶକ , ମାଧ୍ୟମିକ ଶିକ୍ଷା , ନିର୍ଦ୍ଦେଶକ , ପ୍ରାଥମିକ ଶିକ୍ଷା , ନିର୍ଦ୍ଦେଶକ , ଟିଇ , ଏସସ୍ପିଇଆଆରଟି , ବିଭାଗୀୟ ଅତିରିକ୍ତ ଶାସନ ସଚିବ , ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା , ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ , “ ମୋ ସ୍କୁଲ ’ ଉପସ୍ଥିତ ଥିଲେ ।

Comments are closed.