ମାଁ ସମଲେଶ୍ବରୀଙ୍କ ଷୋଡ଼ଶ ପୂଜା ଆରମ୍ଭ, ୬ରେ ଧବଳମୁଖୀ ବେଶ

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ମୂଳାଷ୍ଟମୀ ଅବସରରେ ବୁଧବାରରୁ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମାଁଙ୍କ ନିକଟରେ ଷୋଡଶ ଦ୍ବୀପ ପ୍ରଜ୍ଜଳନ ବି ଆରମ୍ଭ ହୋଇଛି । ସେପଟେ , ଆସନ୍ତା ୬ ତାରିଖ ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥିରେ ମାଁଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ମାଁଙ୍କ ଦର୍ଶନ କଲେ ଗଙ୍ଗାଦର୍ଶନର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଆସନ୍ତା ୬ ତାରିଖ ବୁଧବାର ଦିନ ପବିତ୍ର ମହାଳୟାରେ ପ୍ରତିବର୍ଷ ଭଳି ମାଁଙ୍କ ଧବଳମୁଖୀ ବେଶ ତଥା ଗଙ୍ଗା ବେଶ ଅନୁଷ୍ଠିତ ହେବ । ବିଶ୍ଵାସ ରହିଛି ଯେ , ମହାଳୟାରେ ଗଙ୍ଗାରେ ପିତୃତର୍ପଣ କରିବାର ସୁଯୋଗରୁ ବଞ୍ଚିତ ହେଉଥିବା ଲୋକେ ମହାନଦୀରେ ତିଳତର୍ପଣ କରି ମାଁ ସମଲେଶ୍ବରୀଙ୍କ ଗଙ୍ଗାବେଶ ବା ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗାଦର୍ଶନର ପୂଣ୍ୟ ମିଳିଥାଏ । ଏହି ବେଶରେ ମାଁଙ୍କ ଦେହର ବର୍ଣ ସଂପୂର୍ଣ ଧଳା ବା ଧବଳ | ବର୍ଷତମାମ ସିନ୍ଦୁରଚଚ୍ଚିତା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ମାଁ ଗୋଟିଏ ଦିନ ପାଇଁ ଚନ୍ଦନ ଚର୍ଚ୍ଚିତା ହୋଇ ଦର୍ଶନ ଦେଇଥାନ୍ତି । ଆଉ ଏହି ବେଶ ଦର୍ଶନ ପାଇଁ ମନ୍ଦିରରେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଥାଏ । କିନ୍ତୁ , ଗତବର୍ଷ କରୋନା କଟକଣା ଯୋଗୁଁ ଭକ୍ତ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଏବର୍ଷ ଧବଳମୁଖୀ ବେଶ ବେଳେ ଦର୍ଶନ ନେଇ ଅନୁମତି ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ , ଅମାବାସ୍ୟାର ପରଦିନ ଅର୍ଥାତ ପ୍ରତିପଦାରୁ ମାଁଙ୍କ ନିକଟରେ ନବଦିନାତ୍ମକ ମାନସିକ ଦ୍ବୀପ ପ୍ରଜ୍ଜଳନ ବି ଆରମ୍ଭ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚୀ ପ୍ରକାଶିତ ହୋଇଛି ।

Comments are closed.