କୋଭିଡ ଗାଇଡଲାଇନ ଓ କଡା ସୁରକ୍ଷା ମଧ୍ୟରେ ପିପିଲିରେ ଚାଲିଛି ଭୋଟ୍ ଗ୍ରହଣ, ୧୮୮ ନମ୍ବର ବୁଥରେ ଇଭିଏମ ଅଚଳ

ପିପିଲି – ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ମତଦାନ ୬ଟା ଯାଏଁ ଚାଲିବ । ପୁରୀ ପିପିଲି ହାଇସ୍କୁଲର ୧୮୮ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ ବିଳମ୍ବିତ ହୋଇଛି । ମୋଟ ୩୪୮ ପୋଲିଂ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି ।

୨୨ ଶହ ପୋଲିଂ କର୍ମଚାରୀ ଓ ୧ ହଜାର ୯୮୩ ପୋଲିସ କର୍ମୀ ମତଦାନ ପାଇଁ ନିୟୋଜିତ ଅଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କୁ ବୁଥକୁ ନେବାକୁ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ଓ କଡା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । ପୋଷ୍ଟାଲ ବ୍ୟାଲଟ ଜରିଆରେ ୧ ହଜାର ୭୭ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏଥର ପିପିଲି ନିର୍ବାଚନୀ ମଇଦାନରେ ୧୦ ଜଣ ପ୍ରାର୍ଥୀ ଅଛନ୍ତି । କିନ୍ତୁ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ । ବିଜେଡି ହେଭିୱେଟ୍ ପ୍ରଦୀପ ମହାରଥୀଙ୍କ ଗତବର୍ଷ ମୃତ୍ୟୁ ପରେ ଉପନିର୍ବାଚନର ଆବଶ୍ୟକ ହୋଇଥିଲା । ଏହି ବର୍ଷ ଏପ୍ରିଲ ୧୬ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନାରେ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇ ମେ ୧୬କୁ ଘୁଂଚାଯାଇଥିଲା । କିନ୍ତୁ କୋରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

ଏଥର ବିଜେଡି ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରିଛି । ୨୦୧୯ରେ ଦ୍ୱିତୀୟ ସ୍ଥାନରେ ଥିବା ଆଶ୍ରିତ ପଟ୍ଟନାୟକଙ୍କ ଉପରେ ବିଜେପି ଏଥର ମଧ୍ୟ ଆସ୍ଥା ସ୍ଥାପନ କରିଛି । କଂଗ୍ରେସ ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ।

Comments are closed.