ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର – ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସର୍ବାଧିକ ୨୭ ପ୍ରତିଶତ ସଂରକ୍ଷଣ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ସଂକୁଚିତ କରା ନ ଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ବ୍ୟବସ୍ଥା ଲାଗୁ କରିଛନ୍ତି ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ସଂରକ୍ଷଣ ସିଲିଂ ବଜାୟ ରଖିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଓଡିଶା ପଂଚାୟତ ଆଇନ (ସଂଶୋଧନ) ବିଧେୟକ ଗୃହୀତ ହୋଇ ଆଇନରେ ପରିଣତ ହୋଇସାରିଛି । ନୂଆ ସଂରକ୍ଷଣ ନିୟମ ଶୁକ୍ରବାରଠାରୁ ଲାଗୁ ହୋଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ପଂଚାୟତିରାଜ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା ଚିଠି ଲେଖିଛନ୍ତି । ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଜିଲ୍ଲାର ଜନସଂଖ୍ୟା ଓ ବିଭିନ୍ନ ବର୍ଗର ଉପସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ଆଇନ ଅନୁସାରେ ଆସନ ସଂରକ୍ଷଣ କରିବେ । ଏହି ମାସରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଂଚାୟତସ୍ତରରେ ୱାର୍ଡ,ସରପଂଚ, ପଂଚାୟତ ସମିତି ସଭ୍ୟ ଆସନଗୁଡିକର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ ।

Comments are closed.