ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ମିଳୁଛି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି କର୍ତ୍ତା ହେଉଛନ୍ତି ଦେବି କୁଷ୍ମାଣ୍ଡା।
ଯେତେବେଳେ ଏ ଦୃଶ୍ୟମାନ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ଦେବି ଭଗବତୀ ଏହି ସୃଷ୍ଟି ରଚନା କରିଥିଲେ। ସେଥିପାଇଁ ଦେବିଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି କୁହାଯାଏ। ମା’ ଙ୍କ ସ୍ୱରୂପ ହେଉଛି ସିଏ ସିଂହାରୁଢା। କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୂଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ ମଧ୍ୟ ପକ୍ଷାନ୍ତରେ କୁଷ୍ମାଣ୍ଡା କୁହାଯାଇଥାଏ। ଏହି ଦେବୀଙ୍କ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।
ନବରାତ୍ରୀର ଚତୁର୍ଥ ଦିନ ପୂଜା ପଦ୍ଧତି: ମା’ କୁଷ୍ମାଣ୍ଡାଙ୍କ ଆବାହନ ମନ୍ତ୍ର ହେଉଛି –
“ସୁରାସମ୍ପୂର୍ଣକଳସମ୍ ରୁଧିରାପ୍ଲୁତମେବ ଚ ।
ଦଧାନା ହସ୍ତପଦ୍ମାଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ।’
“ଯାଦେବୀ ସର୍ବଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।”
ନବରାତ୍ରୀର ଚତୁର୍ଥ ଦିନ ପୂଜାପାଇଁ ସ୍ଥାପିତ କଳସ ପୂଜାପରେ ଉକ୍ତ କଳସରେ ମା’ କୁଷ୍ମାଣ୍ଡାଙ୍କୁ ଆବା ହନ କରାଯାଇଥାଏ । ପୂଜାରେ ବସିବା ପୂର୍ବରୁ ସବୁଜ ରଙ୍ଗର ଆସନ ବ୍ୟବହାର କରାଯାଏ। ମା କୁଷ୍ମାଣ୍ଡାଙ୍କୁ ଜଳ ପୁଷ୍ପ ଅର୍ପଣକରି ଧ୍ୟାନ କରାଯାଏ । ଏହାପରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ସଂପୂର୍ଣ୍ଣ ପରେ ନିଜର ସାଦ୍ଧମତେ ଦେବୀଙ୍କୁ ଭକ୍ତିର ସହିତ ଫଳ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରାଯାଏ । ପୂଜା ପରେ ମାତା କୁଷ୍ମାଣ୍ଡାଙ୍କୁ ମାଲପୁଆ ଅର୍ପଣ କରିବାର ବିଧି ରହିଛି। ଏହାପରେ ଉକ୍ତ ପ୍ରସାଦ କୁ ବ୍ରାହ୍ମଣ ଓ ଭକ୍ତଙ୍କୁ ବିତରଣ ପରେ ନିଜେ ସେବନ କରିବାର ବିଧାନ ରହିଛି।
ମା’ କୁଷ୍ମାଣ୍ଡାଙ୍କ ଉପାସନା କଲେ ଭକ୍ତଙ୍କ ସମସ୍ତ ରୋଗ ଶୋକ ନଷ୍ଟ ହୋଇଥାଏ ବୋଲି ଶାସ୍ତ୍ରୀୟ ନିର୍ଦେଶ ରହିଛି।
Comments are closed.