ନକ୍ସଲ ମୂଷାକୀଙ୍କ କନ୍ଧମାଳ ଏସପିଙ୍କ ଆଗରେ ଆତ୍ମସମର୍ପଣ

ଫୁଲବାଣୀ – ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତିି ମୂଷାକୀ । ଛତିଶଗଡ ସୁକମା ଜିଲ୍ଲାରେ ମୂଷାକୀଙ୍କ ଘର । ମୂଷାକୀ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ସେ ବଂଶଧାରା ଘୁମୁସର ନାଗାବଳୀ ଡିଭିଡନର ପାର୍ଟି ସଦସ୍ୟ ଥିଲେ । ତାଙ୍କ ବିରୋଧରେ ହିଂସାକାଣ୍ଡର ଅନେକ ମାମଲା ରହିଛି । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେ ଆତ୍ମ ସମର୍ପଣ କରିଥିବା କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହର ଆବଶ୍ୟକ ନାହିଁ । ନକ୍ସଲଙ୍କ ସଶସ୍ତ୍ର ବିଦ୍ରୋହ ସମର୍ଥନ ହରାଇ ବସିଛି ବୋଲି କହିଛନ୍ତି ମୂଷାକୀ । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ ମୂଷାକୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ପୋଲିସ କହିଛି ।

Comments are closed.