ଭୁବନେଶ୍ବର – ଜୟପୁର ବିମାନ ସେବା ପର୍ଯ୍ୟଟନ ଓ ବାଣିଜ୍ୟିକ ବିକାଶ ପାଇଁ ନୂଆ ବାଟ ଖୋଲିଲା, ମାରୱାଡ଼ି ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ବର : ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ନିମନ୍ତେ ବଡଧରଣର ସରକାରୀ ରିହାତି ସହ ଆନୁସଂଙ୍ଗିକ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାରୱାଡ଼ି ସମାଜ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆଜି ମାରୱାଡ଼ି ସମାଜର ବିଭିନ୍ନ ସହଯୋଗୀ ଶାଖା ମିଳିତଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ଲୋକସେବା ଭବନଠାରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପତ୍ର ଜ୍ଞାପନ କରିଥିଲେ । ଏହି ଅବସରରେ ସମାଜର ମୁଖପାତ୍ରମାନେ କହିଥିଲେ ଯେ ଏହି ବିମାନସେବା ଆମର ଦୀର୍ଘଦିନର ଆଶା ଓ ଆବଶ୍ୟକତା ପୂରଣ କଲା ।

ଉଭୟ ଓଡ଼ିଶା ଓ ରାଜସ୍ଥାନର ସଂସ୍କୃତି ଓ ପରମ୍ପରା ବହୁ ପୁରାତନ । ସିଧାସଳଖ ବିମାନସେବା ଉଭୟ ରାଜ୍ୟ ମଧ୍ୟରେ ଥିବା ବନ୍ଧୁତ୍ବ ପର୍ଯ୍ୟଟନ ଏବଂ ବେପାର ବାଣିଜ୍ୟକୁ ବହୁଗୁଣିତ କରିବ । ବରିଷ୍ଠ ସଦସ୍ୟମାନେ ଆହୁରି ମଧ୍ୟ କହିଥିଲେ ଯେ ବୃଦ୍ଧ ପିତା – ମାତାଙ୍କୁ ପୁରୀ ଜଗନ୍ନାଥଧାମରେ ମହାପ୍ରଭୁଙ୍କ ଦର୍ଶନ କରାଇବା ପୁତ୍ରର କର୍ତ୍ତବ୍ୟ ବୋଲି ମାରିଓ୍ବାଡ଼ି ସମାଜର ଦୃଢ଼ ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ମାରୱାଡ଼ି ପୁଅ ନିଜ କର୍ତ୍ତବ୍ୟ ପାଳନରେ ବହୁଗୁଣିତ ସହାୟତା କରିବ ।

ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କର ଐତିହାସିକ ନିଷ୍ପରି ଯୋଗୁଁ ଏହି ସିଧାସଳଖ ବିମାନସେବା ଚଳିତ ବର୍ଷ ନଭେମ୍ବର ୨ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ସପ୍ତାହକୁ ତିନିଦିନ ଇଣ୍ଡିଗୋ ବିମାନ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଯାତାୟତ କରିବ । ପ୍ରତି ଯାତ୍ରା ( ଟ୍ରିପ୍ ) ପାଇଁ ରାଜ୍ୟ ସରକାର ପ୍ରାୟ ୭୫ ହଜାର ଟଙ୍କାର ସହାୟତା ସହ ଅନ୍ୟାନ୍ୟ ଆନୁସଂଗିକ ସହଯୋଗ ଯୋଗାଇ ଦେବେ । ଖୁବ୍ ଶିଘ୍ର ଭୁବନେଶ୍ବରରୁ ଗୋଆ ସିଧାସଳଖ ବିମାନସେବା ଆରମ୍ଭ ହେବ ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ । ଏହି ବିମାନସେବା ରାଜ୍ୟରେ ପର୍ଯ୍ୟଟନ , ଶିଳ୍ପୀକରଣ , ବେପାରବଣିକ ବୃଦ୍ଧି କରିବା ସହ ଯୁବପିଢ଼ୀମାନଙ୍କ ନିମନ୍ତେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମହାପାତ୍ର କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି , ମାରୱାଡ଼ି ସମାଜ , ଜୈନ ସମାଜ , ମାହେଶ୍ୱରୀ ସମାଜ , ବିକାନୀର ଜିଲ୍ଲା ନାଗରିକ ପରିଷଦ , ପୁରୁଷୋତ୍ତମ ସମାଜ , ଆପଣା ସମାଜ ଏବଂ ବାବା ରାମଦେବ ରୁନିଚେୱାଲା ଟ୍ରଷ୍ଟ ତରଫରୁ ମିଳିତଭାବେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି ସବୁ ସମାଜର ପ୍ରତିନିଧିଭାବେ ଲକ୍ଷ୍ମଣ ମହିପାଲ , ପ୍ରକାଶ ଭୁରା , ଲାଲଚନ୍ଦ୍ର ମୋହତା , ସୁପକର୍ଣ୍ଣ ଭୁରା , ବିପିନ୍ ବାଙ୍କା , ବଚ୍ଛରାଜ ବେତେଲା , ଘନଶ୍ୟାମ ପେରିୱାଲ୍ ଏବଂ ନବରତନ୍ ବ୍ରୋଥା ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କୁ ଭେଟି କୃତଜ୍ଞତାପତ୍ର ଜ୍ଞାପନ କରିଥିଲେ ।

Comments are closed.