ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳମାନଙ୍କ ସହ ରାଜ୍ୟ ନିର୍ବାଚନ କମିଶନରଙ୍କ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ , ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ତା ୦୪ / ୧୦ / ୨୦୨୧ରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ତା ୨୬ / ୧୦ / ୨୦୨୧ ରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ଜିଲ୍ଲାପାଳମାନେ ସ୍ଵତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି ।

ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ପ୍ରତ୍ୟେକ ଜିଲ୍ଲାରେ କେତେ କେତେ ବାଲାଟ୍ ବକ୍ସ ଦରକାର ହେବ , ଜିଲ୍ଲାସ୍ତରରେ କେତେ ବାଲାଟ୍ ବକ୍ସ ଅଛି , ସେ ସଂପର୍କରେ କମିଶନ ଜାଣିବାକୁ ଚାହିଁଥିଲେ । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି ଏବଂ ତା . ୧୫ / ୧୧ / ୨୦୨୧ରିଖ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସଂପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପରେ ଭୋଟଗଣତି ସଂପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ୍ ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି। ଜିଲ୍ଲାପାଳମାନେ ବ୍ଲକ୍ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ନିର୍ବାଚନ କମିଶନ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡ଼ି ( ଏକ୍ସଲ୍ ଫର୍ମାଟ ) ଜରିଆରେ ପଠାଯାଇଛି । ଏହାକୁ ଆଧାର କରି ଜିଲ୍ଲା ସମୂହ ( ଏକ୍ସେଲ ଫର୍ମାଟ ) ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହି କାର୍ଯ୍ୟ ତା , ୨୫ / ୧୦ / ୨୦୨୧ରିଖ ସୁଦ୍ଧା ସମାପ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି ଓ ଏହି କାର୍ଯ୍ୟ ତା , ୦୫ / ୧୧ / ୨୦୨୧ରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ଭୋଟ ଗ୍ରହଣ ନିମନ୍ତେ ସୁବିଧା ନଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏଥ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଜିଲ୍ଲା ସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ଯ୍ୟ ତା . ୩୦ / ୧୧ / ୨୦୨୧ରିଖ ସୁଦ୍ଧା ଶେଷ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ବାଚନ କମିଶନଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ , ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ , ଉପସଚିବ ଆଜାଦ୍ ହିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Comments are closed.