ଦିଗପହଣ୍ଡି ବନାଞ୍ଚଳରେ ୯ ଟିକିଆ ହାତୀ ପଲ

ଦିଗପହଣ୍ଡି: ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ପହଞ୍ଚିଛନ୍ତି ରତନେଇ ଜଙ୍ଗଲରୁ ଆସିଥିବା ୯ ସଦସ୍ୟ ବିଶିଷ୍ଟ ହାତୀ ପଲ। ଗତକାଲି ରାତିରେ ହାତୀମାନେ ଆସି ମୌଳାଭଣଜା ଗାଁ ରାଧାନଗର ନିକଟ କେତେକ ଧାନ ଚାଷ ଜମିରେ ପଶି ଫସଲ ନଷ୍ଟ କରି ପକାଇଛନ୍ତି। ହାତୀଙ୍କ ଦଳାଚକଟାରେ ପ୍ରାୟ ୧୦ ଭରଣରୁ ଅଧିକ ଚାଷ ଜମିର ଧାନ ଫସଲ ନଷ୍ଟ ହୋଇ ଯାଇଛି। ଚାଷୀମାନେ ନିଜ ବିଲରେ ଫସଲ ନଷ୍ଟ ହୋଇଥିବା ଦେଖି ଓ ହାତୀର ମଳ ପଡ଼ିଥିବା ଦେଖି ଦିଗପହଣ୍ଡି ବନ ବିଭାଗକୁ ଅବଗତ କରାଇଥିଲେ। ବନ ବିଭାଗ କର୍ମଚାରୀମାନେ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରି ଫସଲ କ୍ଷୟକ୍ଷତି ରିପୋର୍ଟ ଲେଖିଛନ୍ତି। ଚାଷୀମାନେ କ୍ଷତିପୂରଣ ଦାବି କରିଥିବା ବେଳେ ଏଥିପାଇଁ ଆଶ୍ବସନା ଦେଇଛି ବନ ବିଭାଗ। ଗତ କିଛି ବର୍ଷ ହେବ ଧାନ ଅମଳ ସମୟରେ ହାତୀ ଦଳ ଆସି ଉପଦ୍ରବ କରୁଛନ୍ତି। ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକରେ ଘୁରି ବୁଲୁଛନ୍ତି। ଚଳିତ ଥର ହାତୀ ପଲ ଆଗୁଆ ଆସିଯାଇଛନ୍ତି। ତେବେ ହାତୀ ପଲକୁ ଜନବସତି ଠାରୁ ଦୂରରେ ରଖିବା ପାଇଁ ବନବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି।

Comments are closed.