ବ୍ରଜମଣ୍ଡଳ ପରିକ୍ରମା: ଶ୍ରୀନନ୍ଦ ମହାରାଜଙ୍କ ଦ୍ଵାରା କରାଯାଉଥିବା ଇନ୍ଦ୍ର ପୂଜନର ସ୍ଥାନ ‘ଇନ୍ଦ୍ରଧ୍ୱଜବେଦୀ’

ଇନ୍ଦ୍ରଧ୍ୱଜବେଦୀ: ମଥୁରା ନିକଟ ଶ୍ରୀଗୋବର୍ଦ୍ଧନ ଗ୍ରାମର ପୂର୍ବ ଦିଗରେ ରହିଛି ଶ୍ରୀନନ୍ଦ ମହାରାଜଙ୍କ ଦ୍ଵାରା ପ୍ରତିବର୍ଷ କରାଯାଉଥିବା ଇନ୍ଦ୍ର ପୂଜନର ସ୍ଥାନ ‘ଇନ୍ଦ୍ରଧ୍ୱଜବେଦୀ’। ଶ୍ରୀନନ୍ଦ ମହାରାଜ ଯେଉଁ ଇନ୍ଦ୍ରପୁଜା କରୁଥିଲେ ତାହା ବାସ୍ତବରେ ସଗୁଣ ଉପାସକ ମାନଙ୍କ ଦ୍ୱାରା କରାଯାଉଥିବା ଇନ୍ଦ୍ରପୁଜା ନଥିଲା। ଏହାଥିଲା ଶ୍ରୀକୃଷ୍ଣଙ୍କ ସେବାପୋକରଣ ଗୋ ଧନଙ୍କ ଖାଦ୍ୟଦି ସଂଗ୍ରହଅର୍ଥେ ଶ୍ରୀକୃଷ୍ଣ ସୁଖତାତ୍ପର୍ଯ୍ୟ ଇନ୍ଦ୍ରପୂଜନ। ଏହି ତତ୍ତ୍ୱକୁ ପ୍ରତିପାଦିତ କରିବା ପାଇଁ ଶ୍ରୀକୃଷ୍ଣ ନନ୍ଦଙ୍କ ପୂଜାକୁ ଠିକ ଭାବରେ ବୁଝିବା ପାଇଁ ଇନ୍ଦ୍ରଙ୍କ ବଦଳରେ ଗିରିରାଜ ଗୋବର୍ଦ୍ଧନ ପୂଜା କରିଥିଲେ।

ଗୋବର୍ଦ୍ଧନ ପୂଜା ସମୟରେ ସାକ୍ଷାତ ଗୋବର୍ଦ୍ଧନ ଆବିର୍ଭୁତ ହୋଇ ବ୍ରଜବାଳାଙ୍କ ଠାରୁ ପୂଜଦ୍ରବ୍ୟ ଗ୍ରହଣ କରିଥିଲେ। ସକାମଯୁକ୍ତ ଉପାସକଙ୍କ ପାଇଁ ଏହାଥିଲା ବଡ଼ ଆଶ୍ଚର୍ଯ୍ୟ ଜନକ ଘଟଣା। କିନ୍ତୁ ନିଷ୍କାମ ଉପାସକ ଅହୈତୁକି ଭକ୍ତିଦ୍ୱାରା ପ୍ରଭୁଙ୍କ ଲୀଳା ଦର୍ଶନକରି କୃତକୃତ୍ୟ ହୋଇଥିଲେ। ଯେଉଁ ସ୍ଥାନରେ ଏହିପୂଜା ସମ୍ପର୍ଣ୍ଣ ହୋଇଥିଲା ସେହି ସ୍ଥାନର ନାମ ହେଉଛି ଇନ୍ଦ୍ରଧ୍ୱଜବେଦୀ।

ଋଣ ମୋଚନ ଓ ପାପମୋଚନ କୁଣ୍ଡ : ଇନ୍ଦ୍ରଧ୍ୱଜବେଦୀର ଉତ୍ତର-ପଶ୍ଚିମ ଦିଗରେ ରହିଛି ଋଣମୋଚନ କୁଣ୍ଡ ଓ ଦକ୍ଷିଣ-ପଶ୍ଚିମ ରେ ରହିଛି ପାପମୋଚନ କୁଣ୍ଡ। ଋଣମୋଚନ କୁଣ୍ଡରେ ସ୍ନାନ କଲେ ସମସ୍ତ ଋଣରୁ ମୁକ୍ତି ମିଳିବା ସହିତ ପାପମୋଚନ କୁଣ୍ଡରେ ସ୍ନାନ କଲେ ଜୀବନର ସମସ୍ତ ପାପ ନାଶ ଯାଇଥାଏ ବୋଲି ବିଶ୍ୱାସ ରହିଛି।ପାପମୋଚନ କୁଣ୍ଡକୁ କେହି କେହି ‘ ଦାନନିବର୍ତନ’ କୁଣ୍ଡ କହିଥାନ୍ତି। ଏହାର ବର୍ତ୍ତମାନ ନାମ ହେଉଛି ‘ନିବାରୀ’।

ଚନ୍ଦ୍ରସରୋବର : ଏଠାରେ ଶ୍ରୀକୃଷ୍ଣ ରାସରସାବେଶରେ ଉପବେଶନ କରି ନିଜହସ୍ତରେ ଶ୍ରୀମତୀ ରାଧାରାଣୀଙ୍କ ବେଶ ରଚନା କରି ଥିଲେ। ଏହି ସ୍ଥାନରେ ରହିଛି ରାସ ମଣ୍ଡଳ। ଭଗବାନ ଶ୍ରୀକୃଷ୍ଣଙ୍କ ରାସ ସମୟରେ ଚନ୍ଦ୍ର ଏହି ସ୍ଥାନରେ ଅମୃତ ବର୍ଷଣ କରିଥିଲେ।

କ୍ରମଶଃ….

Comments are closed.