କୁଚିଣ୍ଡାର ଲଙ୍କା ଓ ଲିଚୁକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଖସଡା ପ୍ରସ୍ତୁତ

ସମ୍ବଲପୁର : କାହିଁ କେଉଁ କାଳରୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ଲଙ୍କା ଓ ଲିଚୁ ଚାଷ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛି । ଏହାର ନିଆରାପଣ ହିଁ ଏହାର ଚାହିଦାକୁ ଅନେକ ଗୁଣରେ ବଢାଇ ଦେଉଛି । ତେବେ , ବର୍ତ୍ତମାନ ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଉତ୍ତର ଭାରତର ଏକ ନିର୍ଦ୍ଦିଷ୍ଟ କିସମର ଲଙ୍କା ପୂର୍ବରୁ ଜିଆଇ ଟ୍ୟାଗ୍ ପାଇ ସାରିଥିବା ବେଳେ ବର୍ତ୍ତମାନ କୁଚିଣ୍ଡାର ଲଙ୍କାକୁ ଏହି ବର୍ଗରେ ସାମିଲ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ରୂପରେଖ ଚୂଡାନ୍ତ ହୋଇଛି ।

ବାମଣ୍ଡା ରାଜାଙ୍କ ଶାସନ ଅମଳରୁ କୁଚିଣ୍ଡା ଉପଖଣ୍ଡରେ ଲଙ୍କା ମରିଚ ସାଙ୍ଗକୁ ଲିଚୁ ଏବଂ କମଳା ଚାଷ ହୋଇ ଆସୁଛି । ଏହି ତିନି ଅର୍ଥକାରୀ ଫସଲ ବହୁ ଚାଷୀଙ୍କ ଜୀବନ ଜୀବିକାର ମାଧ୍ୟମ ହୋଇଆସିଛି । ବିଶେଷ କରି ଏଠିକାର ଲଙ୍କା ଚାଷ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଲଙ୍କା ଠାରୁ ବି ଅଧିକ ଚାହିଦା ରଖି ଆସିଛି । ତେବେ , ଜିଆଇ ଟ୍ୟାଗ୍ ମାନ୍ୟତା ଦ୍ବାରା ଏହାର ଚାହିଦା ପୁଣି ଦେଶ ବିଦେଶ ଯାଏ ବ୍ୟାପିବା ସହିତ ଚାଷୀଙ୍କ ଆର୍ଥିକ ମାନଦଣ୍ଡରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏଭଳି ସ୍ଥିତିରେ ବର୍ତ୍ତମାନ ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଗତକାଲି ଓରମାସ ଏବଂ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ମିଳିତ କର୍ମଶାଳାରେ ମାନ୍ୟତା ପାଇଁ ଆବଶ୍ୟକ ପଞ୍ଜିକରଣ ସକାଶେ ଆଲୋଚନା ହୋଇଛି । କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାରେ ଭୁବନେଶ୍ବରରୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ କାରିଗରୀ ବିଭାଗର ବିଶେଷଜ୍ଞମାନେ ଯୋଗଦେଇଥିଲେ । ଜିଆଇ ଟ୍ୟାଗ୍ ପାଇଁ ପଞ୍ଜିକରଣ ସକାଶେ ଆବଶ୍ୟକ ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା । ଏଥିପାଇଁ ୫୦ ବର୍ଷ ପୂର୍ବରୁ ଯେଉଁ କିସମର ଲଙ୍କା ଚାଷ ହେଉଥିଲା , ତାହାକୁ ପଞ୍ଜିକରଣରେ ସାମିଲ କରିବାକୁ ସ୍ଥିର ହୋଇଛି । ଏହି କିସମର ଲଙ୍କାର ଗୁଣ୍ଡ ଦେଖିବା ପାଇଁ ଯେମିତି ଲୋଭନୀୟ ସ୍ବାଦ ବି ସେତିକି ନିଆରା । ସେଥିପାଇଁ ଏହାର ସ୍ୱତନ୍ତ୍ରତା ରହିଛି । ତେବେ , ଏହି କିସମର ଲଙ୍କା ବର୍ତ୍ତମାନ କେଉଁ କେଉଁ ଅଞ୍ଚଳରେ କେଉଁ ଚାଷୀମାନେ ଚାଷ କରୁଛନ୍ତି ତାହାର ସର୍ଭେ କରିବାକୁ ସ୍ଥିର ହୋଇଛି । ସେହିପରି ଲିଚୁକୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ଆସନ୍ତା ଅପ୍ରେଲ ମାସ ପରଠାରୁ ଉତ୍ପାଦନ ଆରମ୍ଭ ହେବା ପରେ ସର୍ଭେ କରିବାକୁ ସ୍ଥିର ହୋଇଛି । ଏଥିରେ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲା କୃଷି ଅଧିକାରୀ ପୁରୁଷୋତ୍ତମ ସାହୁ ଏବଂ ଆଇଟିଡିଏ ଅଧିକାରୀ ସାମିଲ ହୋଇଥିଲେ । ଏହି କର୍ମଶାଳାରେ କିଛି କୃଷି ଉତ୍ପାଦକ ସଂଘର କର୍ମକର୍ତ୍ତା ତଥା ଲଙ୍କା ଏବଂ ଲିଚୁ ଚାଷୀ ମଧ୍ୟ ସାମିଲ ହୋଇ ସେମାନେ ଉତ୍ପାଦନ କରୁଥିବା ଲଙ୍କାର ନମୁନା ପ୍ରଦର୍ଶିତ କରିଥିଲେ ।

Comments are closed.