ଆସନ୍ତାକାଲି ନବୀନଙ୍କ ସମ୍ବଲପୁର ଗସ୍ତ, ବିଏସ୍‌ୱାଇ ସ୍ମାର୍ଟକାର୍ଡ ବଣ୍ଟନ ସହ ୭ ଶହ କୋଟିର ପ୍ରକଳ୍ପର ଶୁଭାରମ୍ଭ

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଜିଲ୍ଲାର କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭ ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁକୁନ୍ଦିସ୍ଥିତ ଖେଳ ପଡିଆ ଏବେ ପ୍ରସ୍ତୁତ ହୋଇସାରିଛି । ସେପଟେ , ଦୀର୍ଘ ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଜିଲ୍ଲା ବ୍ୟାପି ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଆସନ୍ତାକାଲି ସକାଳ ୯ଟା ୪୫ ମିନିଟ୍‌ରେ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୫ ମିନିଟ୍‌ରେ ସେଠାରୁ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ଆସି ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ଆଉ ଜମାଦାରପାଲିରୁ ଏକ ସ୍ବତନ୍ତ୍ର ହେଲିକପଟର ଯୋଗେ କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ଧନକଉଡା ବ୍ଳକର ଦ୍ବୀପ ଭାବେ ପରିଚିତ ଥିବା କୁଦଗୁଣ୍ଡେରପୁରକୁ ନିର୍ମିତ ସେତୁର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୋଶାଳାର ସୈନିକ ସ୍କୁଲ କୋଠାର ଲୋକାର୍ପଣ ସହିତ ବୁର୍ଲାର ପାରା ମେଡିକାଲ ହଷ୍ଟେଲ କୋଠାର ମଧ୍ୟ ଉଦଘାଟନ କରିବେ । ସେହିପରି ଜିଲ୍ଲାର ଅନେକ ସିଏମ୍‌ସି ଏବଂ ପିଏଚସି କୋଠା ସମେତ ଜମନକିରାର ଶଙ୍ଖଭାଙ୍ଗୁଣୀ ନାଲା ଏବଂ ସମ୍ବଲପୁରର ସରଲା ନାଲା ସେତୁ ପାଇଁ ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ଫାଶିମାଲରୁ ଲଇଡା ରାସ୍ତା ସମେତ ବହୁ ରାସ୍ତା , ପାନୀୟଜଳ , ଶିକ୍ଷାନୁଷ୍ଠାନ ଆଦି ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ପରେ ପୁଣି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି ।

Comments are closed.