ପୋଲିସ ଭ୍ୟାନରେ ଚୋରା ଚାଲାଣ ହେଉଥିବା ଶାଗୁଆନ କାଠ ଗଣ୍ଡି ଜବତ, ୪ ପୋଲିସ କର୍ମଚାରୀ ଅଟକ

ପାରଳାଖେମୁଣ୍ଡି – ପୋଲିସ ଭ୍ୟାନରେ ଚୋରା ଚାଲାଣ ହେଉଥିଲା ଶାଗୁଆନ କାଠ । ଆଉ ଭ୍ୟାନରେ ଥିଲେ ପୋଲିସ କର୍ମଚାରୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟରେ ଏକ ପୋଲିସ ଭ୍ୟାନରୁ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ତିନି ପୋଲିସ କର୍ମଚାରୀ ଓ ଆଉ ଜଣେ ପୋଲିସ ବିଭାଗର ଗାଡି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ପୋଲିସ ଭ୍ୟାନ୍‌ଟି ଓଏସଏପିର ତୃତୀୟ ବାଟାଲିୟନର ବୋଲି ଜଣାପଡିଛି । ଗାଡିରେ ୧୦୦ରୁ ଅଧିକ ଶାଗୁଆନ କାଠ ଗଣ୍ଡି ଥିଲା । ଏସବୁର ଆନୁମାନିକ ମୂଲ୍ୟ ୬୦ରୁ ୭୦ ହଜାର ଟଙ୍କା ହେବ ।

ଗତକାଲି ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ବନ ବିଭାଗ କର୍ମଚାରୀମାନେ ଡ୍ୟୁଟି ସାରି ଫେରୁଥିବା ବେଳେ ଫରେଷ୍ଟ ଗେଟ୍ ଦେଇ ଯାଉଥିବା ପୋଲିସ ଭ୍ୟାନଟିକୁ ଅଟକାଇଥିଲେ । କିନ୍ତୁ ତାହା ନ ଅଟକି ପଳାଯାଇଥିଲା । ବନ ବିଭାଗ କର୍ମଚାରୀମାନେ ପିଛା କରି ପୋଲିସ ଭ୍ୟାନ୍‌କୁ ଅଟକାଇଥିଲେ । ଯାଂଚ ବେଳେ ଗାଡିରେ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡିଥିଲା । କାଠଗଣ୍ଡିଗୁଡିକ ଭୁବନେଶ୍ୱର ଚାଲାଣ ହେଉଥିଲା ।

Comments are closed.