ମହଙ୍ଗା ପଡ଼ିଲା ଦରବୃଦ୍ଧି, ଉପନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ନୂଆଦିଲ୍ଲୀ: ତିନି ଲୋକସଭା ଓ ୧୩ ରାଜ୍ୟର ୨୯ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ମଙ୍ଗଳବାର ଘୋଷିତ ଉପନିର୍ବାଚନ ଫଳାଫଳରୁ ବିଜେପି ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ସ୍ପଷ୍ଟ ହୋଇଛି । ଲଗାତାର ଭାବେ ପେଟ୍ରୋଲ, ଜିଜେଲ ଓ ରୋଷେଇ ଗ୍ୟାସ୍ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିଜେପିକୁ ମହଙ୍ଗା ପଡ଼ିଛି । ତିନି ଲୋକସଭା ଆସନରୁ ବିଜେପି ମାତ୍ର ଗୋଟିଏ ଜିତିଥିବା ବେଳେ ୨୯ଟି ବିଧାନସଭା ଆସନରୁ ଦଳ ମାତ୍ର ୮ଟିରେ ବିଜୟୀ ହୋଇଛି । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ବିଜେପିକୁ ସବୁଠୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି । ହିମାଚଳ ପ୍ରଦେଶରେ ଗୋଟିଏ ଲୋକସଭା ସହ ତିନୋଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏହି ଚାରିଟି ଯାକ ଆସନରେ କଂଗ୍ରେସ୍ ବାଜିମାତ୍ କରିଛି । ରାଜ୍ୟର ମଣ୍ଡି ଲୋକସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ବିଜେପିର ବ୍ରିଗେଡିୟର ଖୁଶଲ ଠାକୁରଙ୍କୁ ପରାସ୍ତ କରିଛନ୍ତି । ସେହିପରି ହିମାଚଳ ପ୍ରଦେଶର ତିନି ବିଧାନସଭା ଆସନରେ ମଧ୍ୟ ବିଜେପି ଧରାଶାୟୀ ହୋଇଛି । ଫତେପୁର,ଅର୍କି ଓ କୁଜଲ-କୋଟଖାଇ ବିଧାନସଭା ଆସନକୁ ଅକ୍ତିଆର କରି କଂଗ୍ରେସ ହିମାଚଳ ପ୍ରଦେଶ ଉପନିର୍ବାଚନରେ କ୍ଲିନ୍ ସୁଇପ୍ କରିିଛି ।

ହିମାଚଳ ପ୍ରଦେଶ ବ୍ୟତୀତ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ରାଜସ୍ଥାନରେ ମଧ୍ୟ ବଜେପିକୁ ନିରାଶ ହେବାକୁ ପଡ଼ିଛି । ପଶ୍ଚିମବଙ୍ଗରେ ଚାରିଟି ଯାକ ବିଧାନସଭା ଆସନରେ ପୁଣି ମମତା ମ୍ୟାଜିକ୍ ଦେଖିବାକୁ ମିଳିଛି । ଏହି ଚାରିଟି ବିଧାନସଭା ଆସନ ହେଉଛି ଦିନହଟା, ଶାନ୍ତିପୁର, ଖଡ଼ଦହ ଓ ଗୋସାବା । ଏହି ଚାରିଟି ଯାକ ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ବିପୁଳ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି । ଏହି ଚାରି ଆସନ ମଧ୍ୟରୁ ଦିନହାଟା ଓ ଶାନ୍ତିପୁର ବିଜେପି ଦଖଲରେ ଥିଲା । ହେଲେ ମାତ୍ର ୬ ମାସ ମଧ୍ୟରେ ଏହି ଦୁଇ ଆସନକୁ ତୃଣମୂଳ କଂଗ୍ରେସ ଛଡ଼ାଇ ନେଇଛି ।

କର୍ଣ୍ଣାଟକରେ ମଧ୍ୟ ଉପନିର୍ବାଚନ ଫଳ ବିଜେପିର ଚିନ୍ତା ବଢ଼ାଇଛି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ଘରୋଇ ଜିଲ୍ଲା ହାଭେରିର ହନାଗଲ ବିଧାନସଭା ଆସନରେ ବିଜେପି ପରାଜିତ ହୋଇଛି । ହନାଗଲ ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଦଳୀୟ ପ୍ରାର୍ଥୀଙ୍କ ଲାଗି ଜୋରଦାର୍ ପ୍ରଚାର କରିଥିଲେ । ତଥାପି ବିଜେପି ଏଠାରେ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି । ରାଜସ୍ଥାନରେ ବି ବିଜେପିକୁ କ୍ଷତି ହୋଇଛି । ରାଜସ୍ଥାନର ଧାରିଆୱାଡ୍ ଓ ବଲ୍ଳଭନଗର ବିଧାନସଭା ଆସନରେ ଶାସକ କଂଗ୍ରେସର ବିଜୟ ହୋଇଛି । ହରିୟାଣାରେ ଏକମାତ୍ର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ବଜେପି ବିରୋଧରେ ଯାଇଛି । କୃଷକ ଆନ୍ଦୋଳନ ଏଠାରେ ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏହାର ପ୍ରଭାବ ଉପନିର୍ବାଚନରେ ପଡ଼ିଛି । ହରିୟାଣାର ଏଲେନାବାଦ ବିଧାନସଭା ଆସନରେ ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲ୍‌ଡି) ପ୍ରାର୍ଥୀ ଅଭୟ ସିଂ ଚୌତାଲା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି-ଜେଜେପି ମେଣ୍ଟ ପ୍ରାର୍ଥୀଙ୍କୁ ହରାଇଛନ୍ତି ।

ଅନ୍ୟପକ୍ଷେ ଦାଦ୍ରା ନଗର ହାବେଳି ଲୋକସଭା ଉପନିର୍ବାଚନରେ ଶିବସେନା ବିଜୟୀ ହୋଇଛି । ଏଠାରେ ପୂର୍ବତନ ଦିବଂଗତ ସାଂସଦ ମୋହନ ଡେଲକରଙ୍କ ପତ୍ନୀ କାଲାବେନ ଡେଲକର ବିଜେପିର ମହେଶ ଗଭିଟଙ୍କୁ ହରାଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ମୋହନ ଡେଲକରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହି ଲୋକସଭା ଆସନ ଖାଲି ପଡ଼ିଥିଲା । ଗତମାସରେ ଡେଲକରଙ୍କ ପତ୍ନୀ କାଲାବେନ ନିଜ ସହଯୋଗୀଙ୍କ ସହ ଶିବସେନାରେ ସାମିିଲ ହୋଇଥିଲେ ।
ଉପନିର୍ବାଚନରେ ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନ ବ୍ୟତୀତ ଉତ୍ତର ପୂର୍ବରେ ହିଁ ବିଜେପି କିଛି ମାତ୍ରାରେ ସମ୍ମାନ ରକ୍ଷା କରିପାରିଛି । ଉପନିର୍ବାଚନରେ କଂଗ୍ରେସକୁ ଅଭୁତପୂର୍ବ ସଫଳତା ମିିଳିଛି । କଂଗ୍ରେସ ତିନୋଟି ଲୋକସଭା ଆସନରୁ ଗୋଟିଏ ଜିତିଥିବା ବେଳେ ୨୯ଟି ବିଧାନସଭା ଆସନରୁ ୯ଟିରେ ବିଜୟୀ ହୋଇଛି ।

Comments are closed.