କାର୍ତ୍ତିକ ମାସରେ ହରିହର ପୂଜାର ମହତ୍ତ୍ଵ

ପବିତ୍ର କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଯଦିଓ ଗୀତାର ବିଭୂତି ଯୋଗରେ ଭଗବାନ ‘ମାସାଣାମ ମାର୍ଗଶୀରଶ୍ମି’ ଅର୍ଥାତ ମାସ ମାନଙ୍କ ଭିତରେମୁଁ ମାର୍ଗଶିର ମାସ ବୋଲି କହିଛନ୍ତି ତଥାପି ତାଙ୍କର ପ୍ରିୟମାସ ହେଉଛି କାର୍ତ୍ତିକ। ଏହି ମାସରେ ପୁଣ୍ୟ କାର୍ଯ୍ୟ ଶ୍ରୀହରିଙ୍କ ପ୍ରୀତି ବିଧାନ କରିଥାଏ। ସର୍ବୋପରି ଶ୍ରୀବିଷ୍ଣୁ ଓ ଶିବଙ୍କ ଅର୍ଥାତ ହରିହର ଙ୍କର କୃପାର୍ଶିବାଦ ମିଳିଥାଏ। ତେଣୁ ଏହି ପବିତ୍ର କାର୍ତ୍ତିକ ମାସରେ ଶ୍ରୀହରିହରଙ୍କର ଉପାସନା କରାଯାଇଥାଏ।

ଆମ ଶାସ୍ତ୍ରରେ ଏହି ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ସ୍କନ୍ଦ ପୁରାଣ, ନାରଦ ପୁରାଣ, ପଦ୍ମ ପୁରାଣରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରା ଯାଇଛି । ଏହି ମାସଟି ହେଉଛି ଭଗବାନଙ୍କୁ ଆଲ୍ହାଦିତ କରୁଥିବା ମାସ। ଏହି ମାସର ଆରାଧ୍ୟ ଦେବତା ହେଉଛନ୍ତି ଦାମୋଦର। ଯେଉଁ ବ୍ରତଧାରୀ ମାନେ ଏହି ମାସର ବ୍ରତ ରଖିଥାନ୍ତି, ସେମାନେ ରାଧାଦାମୋଦର ଉପାସନା କରିଥାନ୍ତି। ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଠାରୁ ରାସୋତ୍ସଵ ପର୍ଯ୍ୟନ୍ତ ଏହି ପୂଣ୍ୟ ମାସରେ ଚିନ୍ତନ କରାଯାଇ ଥାଏ। ପଦ୍ମପୁରାଣ ବିଧିଅନୁସାରେ ବ୍ରତଧାରୀ ମାନେ ତୁଳସୀ ଚଉରା ମୂଳରେ ରାଧାଦାମୋଦରଙ୍କ ସହିତ ସୁର୍ଯ୍ୟନାରାୟଣ ଓ ଶିବଙ୍କୁ ମଧ୍ୟ ଆରାଧନା କରିଥାନ୍ତି। ପ୍ରାତଃସ୍ନାନ ସମୟରେ ସେମାନେ ପୁଷ୍କରିଣୀ ତଥା ନଦୀ କୂଳରେ ବାଲୁକା ପୂଜାକରି ଦୈନନ୍ଦିନ ଉପାସନା ଆରମ୍ଭ କରିଥାନ୍ତି।

ଏହି ମାସରେ ଈଶ୍ୱର ଉପାସନା କଲେ ମନୁଷ୍ୟ ଜୀବନ ସାର୍ଥକ ହୋଇଥାଏ ବୋଲି ଆମର ଧାର୍ମିକ ବିଶ୍ୱାସ ରହିଛି। ବିଷ୍ଣୁ ଏବଂ ଶିବ ଅଭିନ୍ନ ଏହି ତତ୍ତ୍ୱକୁ ପ୍ରତିପାଦିତ କରିବାପାଇଁ କାର୍ତ୍ତିକ ମାସ ବା ଦାମୋଦର ମାସରେ ଉଭୟଙ୍କୁ ଏକ ସାଙ୍ଗରେ ଆରାଧନା କରାଯାଇଥାଏ। ସେଥିପାଇଁ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ବଳଭଦ୍ର ଭଗବାନ ଶ୍ରୀହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଜୀବନରେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି କରିବା ପାଇଁ ଧାର୍ମିକ ଉପାସନା ସହିତ ଦାନ ଧର୍ମ ମଧ୍ୟ ଉକ୍ତ ମାସରେ କରାଯାଇଥାଏ।

କାର୍ତ୍ତିକ ମାସରେ ନିଷ୍ଠା ଓ ଭକ୍ତି ସହିତ ରାଧାଦାମୋଦର, ଲକ୍ଷ୍ମୀନାରାୟଣ ଓ ହରପାର୍ବତୀଙ୍କୁ ପୂଜା କରାଯିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହାସହ ପଶୁପକ୍ଷୀ, ବୃକ୍ଷ ଲତା ଯଥା ଗୋଷ୍ଠଷ୍ଟମୀରେ ଗୋ-ମାତା, ଅଁଳା ନବମୀରେ ଅଁଳା ବୃକ୍ଷକୁ ଜଗଧାତ୍ରୀ ଭାବରେ ପୂଜା କରାଯାଇଥାଏ। ମାସର ପଚିସି ଦିନ କାପ୍ତା କାପ୍ତି ଓ ଶେଷ ପାଞ୍ଚଦିନ ବଗ ବଗୁଲି ପୂଜା କରି ଏକ ସାମ୍ୟ ବାର୍ତା ସମାଜକୁ ଦିଆଯାଏ।

ପୌରାଣିକ ମତରେ ଏହି ମାସରେ ଶିବଙ୍କ ପୁତ୍ର କାର୍ତ୍ତିକେୟ ତାଡକା ଅସୁରକୁ ବଧ କରିଥିଲେ । ତେଣୁ ଏହି ମାସର ନାମ କାର୍ତ୍ତିକ ମାସ ଅଟେ ବୋଲି ମାନ୍ୟତା ରହିଛି । ତେଣୁ କାର୍ତ୍ତିକଙ୍କ ସହିତ ଶିବ ଏବଂ ପାର୍ବତୀ ଏହି ମାସରେ ଅରାଧିତ ହୋଇଥାନ୍ତି।

ଆମ ସାଂସ୍କୃତିକ ଚେତନାରେ ଆମ ମନରେ ଥିବା ଶିବ, ବିଷ୍ଣୁ ପ୍ରଭେଦ ଭାବନାର କାର୍ତ୍ତିକମାସ ଏକ ସମନ୍ୱୟର ମାସ। ଯଦି କୁହାଯାଏ ବିଷ୍ଣୁଙ୍କ ଭକ୍ତ ହେଉଛନ୍ତି ବୈଷ୍ଣବଗଣ। ତେବେ ଗୀତା ଅନୁସାରେ ‘ବୈଷ୍ଣବାନାମ ପ୍ରିୟ ଶମ୍ଭୁ’ । ଅର୍ଥାତ ଭଗବାନ କହୁଛନ୍ତି ବୈଷ୍ଣବ ମାନଙ୍କ ଭିତରେ ମୋର ପ୍ରିୟ ହେଉଛନ୍ତି ସ୍ୱୟଂ ଶମ୍ଭୁ। ଶମ୍ଭୁ କହିଛନ୍ତି ‘ପ୍ରିୟ ମାଧବ ସାଧୁ ଜନୈକ ଗତିମ’ ଅର୍ଥାତ ମୋର ଶ୍ରୀମାଧଵ ଓ ତାଙ୍କର ଭକ୍ତବୃନ୍ଦ ଅତି ପ୍ରିୟ ଅଟନ୍ତି। ତେଣୁ ସମନ୍ୱୟ ଚେତନାର ପ୍ରତିଭୂ ଶ୍ରୀହରିହର ଉପାସନା ଏ ମାସର ବିଶେଷ ମହତ୍ୱ ବହନ କରେ।

Comments are closed.