ଏସିଆ ବୁକ୍ ଅଫ୍ ରେକର୍ଡସରେ ଚକ୍ ନିର୍ମିତ ସୂକ୍ଷ୍ମ ନନ୍ଦିଘୋଷ

ଫୁଲବାଣୀ: ଜଗତର ନାଥ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁରଙ୍କୁ ଓଡ଼ିଆମାନେ ନିଜ ନିଜ ପ୍ରକାରେ ସଜାଇ ଅର୍ଘ୍ୟ ଅର୍ପଣ କରିବାରେ ପଛଘୁଞ୍ଚା ଦିଅନ୍ତିନି। ସେଥିପାଇଁ ତ କିଏ କାଠରେ ଶ୍ରୀମନ୍ଦିର ନିର୍ମାଣ କରିଲାଣି ତ ଖାଦ୍ୟଶସ୍ୟରେ ଶ୍ରୀଜଗନ୍ନାଥଙ୍କୁ ସଜାଇଲାଣି। ଆଉ ଏବେ ଫୁଲବାଣୀ ନଦୀଖଣ୍ଡି ସାହିର ପ୍ରତ୍ୟୁଷ ଚୌଧୁରୀ ଚକ୍ ଖଡ଼ିରେ ଅତି ସୂକ୍ଷ୍ମ ନନ୍ଦିଘୋଷ ରଥ ତିଆରି କରିଛନ୍ତି ଯାହା ଏକକାଳୀନ ଏସିଆ ବୁକ୍ ଅଫ୍ ରେକର୍ଡସ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ବଡ଼ ଠାକୁରଙ୍କ ରଥର କ୍ଷୁଦ୍ରାକୃତି ତିଆରି କରିଛନ୍ତି ପ୍ରତ୍ୟୁଷ ଯାହାର ଦୈର୍ଘ୍ୟ ୨.୫ ସେମି ଓ ଉଚ୍ଚତା ୧.୯ ସେମି। ଏହି ଯୁବ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଉକ୍ତ ନିଆରା କୃତିତ୍ବ ଏବେ ଜିଲ୍ଲାରେ ଚର୍ଚ୍ଚିତ ହୋଇଛି।

ପ୍ରତ୍ୟୁଷ କହନ୍ତି- କୋଭିଡ୍ କଟକଣା ଯୋଗୁଁ ପୁରୀ ବ୍ୟତୀତ ଅନ୍ୟ ସବୁଠି ଦୁଇ ବର୍ଷ ହେଲା ରଥ ଟଣା ବନ୍ଦ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ରହୁଥିବା ସତ୍ତ୍ୱେ ତାଙ୍କ ଘୋଷଯାତ୍ରାରେ ସାମିଲ ହୋଇ ନପାରିବା ଓ ରଥ ଟାଣି ନ ପାରିବା ହତାଶାବୋଧ ମୋତେ କିଛି ଭିନ୍ନ କରିବାର ପ୍ରେରଣା ଯୋଗାଇଥିଲା। କିଛି ଦିନ ପ୍ରଚେଷ୍ଟା କରିବା ପରେ ଚକ୍ ଖଡ଼ିରେ ଏହି ସୂକ୍ଷ୍ମ ନନ୍ଦିଘୋଷ ତିଆରି କରିବାରେ ସକ୍ଷମ ହୋଇଥିଲି। ସାଙ୍ଗସାଥୀଙ୍କ ପ୍ରେରଣାରେ ଏ ନେଇ ସମସ୍ତ ତଥ୍ୟ ଓ ଫଟୋ, ଭିଡିଓ ଆଦି ଉଭୟ ରେକର୍ଡସ ବୁକ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥିଲି। ଆଉ ଏବେ ମୋ କୃତିତ୍ଵକୁ ଦୁଇ ଦୁଇଟି ସ୍ବୀକୃତି ମିଳିଥିବାରୁ ମୁଁ ବେଶ୍ ଖୁସି ବୋଲି ପ୍ରକାଶ କରିଛନ୍ତି ଏହି ଯୁବକଜଣକ।

ପିଲା ବେଳୁ ଚିତ୍ରକଳାରେ ପ୍ରତ୍ୟୁଷଙ୍କ ଆଗ୍ରହ ଥିଲା। ଏଣୁ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହେବା ପରେ ସେ ଖଲ୍ଲିକୋଟସ୍ଥିତ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଭିଜୁଆଲ ଆର୍ଟ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଉଲ୍ଲେଖନୀୟ ଭାବେ ତାଙ୍କ କଳାକୃତି ରାଜ୍ୟ ଲଳିତ କଳା ଏକାଡେମୀକୁ ମନୋନୀତ ହୋଇ ଦୁଇ ଦୁଇ ଥର ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଛି।

Comments are closed.