ଅନ୍ତଃଜିଲ୍ଲା ବାଇକ୍ ଚୋରି ଗ୍ୟାଙ୍ଗର ୭ ଗିରଫ, ମିଳିଲା ୧୯ ମୋଟର ସାଇକେଲ୍‌

ଭଞ୍ଜନଗର: ଭଞ୍ଜନଗର ଥାନା ପୋଲିସ ୧୯ଟି ଚୋରା ବାଇକ୍ ଉଦ୍ଧାର କରିବା ସହ ଏକ ଅନ୍ତଃଜିଲ୍ଲା ବାଇକ୍ ଚୋରି ଗ୍ୟାଙ୍ଗ୍‌ର ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୨ ଜଣ ବାଇକ୍‌ ଚୋରି କରୁଥିବା ବେଳେ ଅନ୍ୟ ୫ ଜଣ ଚୋରି ବାଇକ୍‌ର ବିଭିନ୍ନ ପାର୍ଟସ ଖୋଲି ବଜାରରେ ବିକ୍ରି କରୁଥିଲେ। ଗିରଫଙ୍କ ମଧ୍ୟରେ ଅଛନ୍ତି ଭଞ୍ଜନଗର ଥାନା ଅନ୍ତର୍ଗତ ପାର୍କ ରୋଡର ପିଣ୍ଟୁ ମହାନ୍ତି, ବେଣାକୁଦା ଗ୍ରାମର ବାପି ଓରଫ ଗୌରାଙ୍ଗ ବିଶୋୟୀ, ବୁଗୁଡା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଅଜିତ ପଟ୍ଟନାୟକ, ଚିରିକିପଡା ଗ୍ରାମର ବିଭୁତି ଚନ୍ଦ୍ର ପଟ୍ଟନାୟକ, ଗୋଲିଆ ଗ୍ରାମର ପ୍ରସନ୍ନ କୁମାର ବାଡତ୍ୟା, ମନୋଜ ପ୍ରଧାନ ଏବଂ କୁଶପଲ୍ଲୀ ଗ୍ରାମର ସନ୍ତୋଷ ଗୌଡ। ପିଣ୍ଟୁ ଓ ଅଜିତ ବାଇକ୍ ଚୋରି କରୁଥିଲେ। ଅନ୍ୟ ୫ ଜଣ ତାହାର ବିକ୍ରି ବ୍ୟବସ୍ଥା କରୁଥିଲେ। ଗଞ୍ଜାମ ସମେତ ପଡୋଶୀ କନ୍ଧମାଳ, ରାୟଗଡା ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ବାଇକ୍ ଚୋରି ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ତେବେ ଆଉ କିଛି ଚୋରି ମୋଟରସାଇକେଲ୍ ନେଇ ପୋଲିସ ତଦନ୍ତ ଚଳାଇଛି। ଏହାପରେ ମାମଲା ସଂଖ୍ୟା ବଢିପାରେ ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ। ଆଜି ଅପରାହ୍ନରେ ଭଞ୍ଜନଗର ଠାରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛି। ମୋଟର ସାଇକେଲର ଚାବି ଭାଙ୍ଗି ତାହାକୁ ଲୁଟି ନେଉଥିଲେ ଅଭିଯୁକ୍ତ। ଉଦ୍ଧାର ହୋଇଥିବା ବାଇକ୍ ସବୁକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ ଦିଆଯିବା ବ୍ୟବସ୍ଥା ପୋଲିସ କରିବ।

Comments are closed.