ଅତୀତର ଶ୍ରୀବିଗ୍ରହମାନଙ୍କ ବିଜେସ୍ଥଳୀ ଚିଲିକା ଚଢେଇଗୁହା ପାହାଡ

ସୂର୍ଯ୍ୟବଂଶର ଗଜପତି ମହାରାଜା ପ୍ରତାପରୁଦ୍ରଦେବଙ୍କ ରାଜତ୍ୱକାଳ ସମୟ। ୧୫୦୯ ଖ୍ରୀଷ୍ଟାଦ୍ଦରେ ବଙ୍ଗଳା ନବାବଙ୍କ ସେନାଧ୍ୟକ୍ଷ ଇସମାଇଲ୍ ଗାଜୀ ଏହି ସମୟରେ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଆକ୍ରମଣର ସମ୍ବାଦ ପାଇ ସେତେବେଳେ କଟକ ଠାରେ ଅବସ୍ଥାନ କରୁଥିବା ଗଜପତିଙ୍କ ଜନୈକ ପଦାଧିକାରୀ ଭୋଇ ବିଦ୍ୟାଧର ରତ୍ନ ସିଂହାସନରୁ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହଙ୍କୁ ଭାର୍ଗବୀ ନଈରେ ଚାପ ଯୋଗେ ଚିଲିକାକୁ ନେଇ ଯାଇ ସେଠାରେ ଥିବା ଚଢେଇଗୁହା ପାହାଡ ଉପରେ ବିଜେ କରାଇଥିଲେ ।

ଇତିହାସକାରମାନଙ୍କ ବିବରଣୀରୁ ଜଣାଯାଏ ଯେ ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଅନ୍ୟ ରାଜ୍ୟକୁ ଯୁଦ୍ଧ ଯାତ୍ରାରେ ଗମନ କରିଥିବା ସମୟ ରେ ଏହି ଆକ୍ରମଣ ଘଟଣା ଘଟିଥିଲା ! ସେ ଏହି ସମ୍ବାଦ ପାଇ ଅବିଳମ୍ବେ ଆସି ଇସମାଇଲ୍ ଗାଜୀକୁ ଓଡିଶାରୁ ହଟାଇ ପୁନଃ ଶ୍ରୀବିଗ୍ରହମାନଙ୍କୁ ରତ୍ନ ସିଂହାସନରେ ଅଧିଷ୍ଠିତ କରିଥିଲେ ! ସୁତରାଂ ଚଢେଇଗୁହା ପାହାଡରେ ଶ୍ରୀଜଗନ୍ନାଥାଦି ବିଗ୍ରହମାନେ ସ୍ୱଳ୍ପ ସମୟ ପାଇଁ ଅବସ୍ଥାନ କରିଥିବାରୁ ଚଢେଇଗୁହା ପାହାଡ ଓଡ଼ିଆ ଜାତିର ଏକ ସ୍ମାରକୀ ଭାବରେ ଗୃହୀତ ହୋଇଛି। ବୀର ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଧର୍ମୀ ଆକ୍ରମଣରେ ଯେଉଁ ଯେଉଁ ସ୍ଥାନରେ ଅବସ୍ଥାନ କରିଥିଲେ ସେହିସବୁ ସ୍ଥାନ ଏ ଜାତି ତଥା ସମଗ୍ର ମାନବ ସମାଜ ପାଇଁ ଏକ ପୁତ ପବିତ୍ର ସ୍ଥଳ ଭାବରେ ଆଜି ଆମ ଇତିହାସରେ ଲିପିବଦ୍ଧ।

( ସଂଗୃହିତ )

Comments are closed.