ଉତ୍କଳର ନବ ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ ୧୨୨ ତମ ଜୟନ୍ତୀ ଅବସରରେ

ଡ଼ଃ ହରେକୃଷ୍ଣ ମହତାବ ଓଡିଶା ରାଜନୀତିର ଏକ କିମ୍ବଦନ୍ତୀ ପୁରୁଷ। ଯାହାଙ୍କୁ ବାଦଦେଲେ ଓଡ଼ିଶାର ରାଜନୈତିକ ଇତିହାସ ଚିନ୍ତାକରିବା ଆଦୌ ସମ୍ଭବ ନୁହେଁ। ଡ଼ଃ ମହତାବ ଥିଲେ ଏକାଧାରରେ ଜଣେ ଲେଖକ,ଐତିହାସିକ,ପ୍ରାବନ୍ଧିକ ତଥା ରାଜନୈତିକ ବ୍ୟକ୍ତି।ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିବା ସହିତ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ ।ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।

ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ।

୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ ।୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ଡ଼ଃ ମହତାବଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି ।

ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ “ବିଷୁବ ମିଳନ” ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି ।

ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱ- ବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା,ତାହା ସହିତ ଉତ୍କଳବିଶ୍ୱବିଦ୍ୟାଳୟରୁ ଡି.ଲିଟ.ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।୧୯୮୩ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ସହିତ ସିଏ ଅନେକ ଗଳ୍ପ, ଉପନ୍ୟାସ, କବିତା ଓ ଇତିହାସ ଆଦି ରଚନା କରି ଓଡିଶା ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ। ସେହିସବୁ କାଳଜୟୀ ଲେଖା ଭିତରେ ରହିଛି – ଉପନ୍ୟାସ ନୂତନଧର୍ମ,ଟାଉଟର,ଅବ୍ୟାପାର,ପ୍ରତିଭା-୧୯୪୬। ସେହିପରି ଗଳ୍ପ ସଂକଳନ ;-ସ୍ୱର୍ଗରେ ଏମର୍ଜେନ୍ସୀ.
ଆତ୍ମଜୀବନୀ। କବିତା ସଂକଳନ:- ଚାରି ଚକ୍ଷୁ, ପଲାସୀ ଅବସାନେ,ଶେଷ ଅଶୃ। ଅନ୍ୟାନ୍ୟ :-
ଆତ୍ମଦାନ,ରୂପାନ୍ତର,ଇତିହାସର ପରିହା, ପ୍ରବଚନ ପରି ଅନେକ କୃତି।

ଦୀର୍ଘଦିନ ଧରି ରାଜନୀତିରେ ସକ୍ରିୟ ଥିବା ଏହି ଜନନାୟକ ଥିଲେ ସାଧାରଣ ଜନତାଙ୍କ ବନ୍ଧୁ। ସେମାନଙ୍କ ସମସ୍ତ ଦୁଃଖ ଅସୁବିଧାକୁ ‘ଗାଁମଜଲିସ’ ମାଧ୍ୟମରେ ସମାଜରେ ଉପସ୍ଥାପନ କରି ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରୁଥିଲେ। ଏହି ମହା ନାୟକ ଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା ୨ ଜାନୁଆରୀ ୧୯୮୭। ଆଜି ତାଙ୍କର ୧୨୨ ତମ ଜୟନ୍ତୀ ଅବସରରେ ସେଇ ମହାନ ଆତ୍ମାଙ୍କ ଆମେ ଆମର ଭକ୍ତିପୂତ ପ୍ରଣାମ ଜଣାଉଛୁ।

Comments are closed.