ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି, ଆରଡିସି ଅଫିସ ଆଗରେ ବିଜୁ ମହିଳା, ଛାତ୍ର ଓ ଯୁବ ଶାଖାର ବିଶାଳ ରାଲି

ସମ୍ବଲପୁର: ରୋଷେଇ ଗ୍ୟାସ ଦର ସହ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଆରଡିସିଙ୍କ ଅଫିସ ଆଗରେ ଗର୍ଜିଛି ବିଜେଡି । ଦଳର ତିନି ପ୍ରମୁଖ ଶାଖା ମହିଳା, ଯୁବ ଓ ଛାତ୍ର ଶାଖା ତରଫରୁ ବିଶାଳ ରାଲିରେ ଦଳ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛି ।

ଛାତ୍ର ଶାଖା ଜିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରାଲିରେ ରାଜ୍ୟ ପର୍ଯ୍ୟବେଖ୍ୟକ ନଳିନୀକାନ୍ତ ପ୍ରଧାନ, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ କିଶୋର ନାଏକ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଲା ଯୁବ ସଭାପତି ଲଖ୍ମୀକାନ୍ତ ମହାପାତ୍ର, ମହିଳା ସଭାନେତ୍ରୀ ବନ୍ଦିତା ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ବିଶେଷ କରି ହଜାର ହଜାର ସଂଖ୍ୟାରେ ମହିଳା ଅଂଶଗ୍ରହଣ କରିଥିଲେ । ମୋଦି ସରକାର ଗରିବର ଚୂଳିରେ ମାଡ କରି ଚାଲିଛି । ଉଜ୍ଜ୍ବଳା ନାଁରେ ଗରିବଙ୍କୁ ଶୋଷଣ କରାଯାଉଛି ବୋଲି ନେତାମାନେ ଅଭିଯୋଗ କରିଥିଲେ ।

ସରକାର ତୁରନ୍ତ ଦରଦାମ ହ୍ରାସ ନ କଲେ ଏ ଲଢେଇକୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ଆହ୍ବାନ ଦିଆଯାଇଥିଲା । ସେହିପରି ଜିଲ୍ଲାରେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର କଡା ଜବାବ ଦେବାକୁ ଆହ୍ବାନ ଦିଆଯାଇଥିଲା ।

Comments are closed.