ଶ୍ରୀକ୍ଷେତ୍ରର ଚକ୍ରତୀର୍ଥ

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଚକ୍ରତୀର୍ଥ ଅନ୍ୟତମ ତୀର୍ଥ।ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ଓ ଚକ୍ରତୀର୍ଥ ପଞ୍ଚତୀର୍ଥ ଭାବେ ଖ୍ୟାତ ।

ଶ୍ରୀମନ୍ଦିର ଠାରୁ ପ୍ରାୟ ୩ କିମି ଦୂରରେ ସମୁଦ୍ରକୂଳର ଉତ୍ତର-ପୂର୍ବ ଦିଗରେ ବାଙ୍କୀ ମୁହାଣ ନିକଟରେ ଏହା ଅବସ୍ଥିତ । ଏହା ପୂର୍ବେ ନଦୀ ଓ ସମୁଦ୍ରର ସଙ୍ଗମସ୍ଥଳ ଥିଲା । ତେବେ ଏହାର ଠିକ କାଳ ନିରୂପଣ କରାଯାଇନାହିଁ । ବିଭିନ୍ନ ପୌରାଣିକ ମତ ଅନୁଯାୟୀ ଏହାର ଇତିହାସ ମହାଭାରତ ପରବର୍ତ୍ତୀ ସମୟର ବୋଲି ଜଣାଯାଏ । ଏଠାରେ ଅନେକ ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ରହିଛି । ଯଥା : ବେଡି ହନୁମାନ (ଦରିଆ ମହାବୀର), ମହାଲକ୍ଷ୍ମୀଙ୍କ ବାପଘର ଚକ୍ରନୃସିଂହ ମନ୍ଦିର, ସୁନାର ଗୌରାଙ୍ଗ ମନ୍ଦିର, ପ୍ରଭୃତି । ଏହା ବର୍ତ୍ତମାନ ଚକ୍ରତୀର୍ଥ ବା ସିଟି ରୋଡ ନାମରେ ପରିଚିତ।

କିମ୍ବଦନ୍ତୀ ଅନୁସାରେ ଭଗବାନ ବିଷ୍ଣୁଙ୍କ ଚକ୍ରକୁ ନେଇ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ ବୋଲି ଜଣାଯାଏ । ଚକ୍ରତୀର୍ଥ ମନ୍ଦିରରେ ଥିବା ଶିଳାଚକ୍ର ଏକ କିମ୍ବଦନ୍ତୀ କୁହେ । ନଦୀ ମୁହାଣରେ ଏକ ଗଜ ପାଣି ପିଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲା ଓ ରକ୍ଷା ପାଇବା ପାଇଁ ଭଗବାନ ବିଷ୍ଣୁଙ୍କ ଶରଣ ନେଇଥିଲା । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ରକୁ ପଠାଇ ଗଜକୁ ଉଦ୍ଧାର କରିଥିଲେ । ଅନ୍ୟଏକ ତଥ୍ୟ ଅନୁଯାୟୀ ଯଦୁବଂଶ ଧ୍ୱଂସ ହେବା ପରେ ଭଗବାନ ଶ୍ରୀକୃଷ୍ଣ କୌଣସି କାରଣରୁ ପୁତ୍ର ପ୍ରଦ୍ୟୁମ୍ନଙ୍କ ଶିରଚ୍ଛେଦନ ପାଇଁ ସୁଦର୍ଶନଙ୍କୁ ଆଦେଶ ଦେଇଥିଲେ । ମାତ୍ର ସୁଦର୍ଶନ କାମସାରି ଶ୍ରୀକୃଷ୍ଣଙ୍କ ହାତକୁ ନ ଫେରି ଅନ୍ତର୍ଦ୍ଧାନ ହୋଇଗଲେ । ହିମାଳୟ ଯାତ୍ରା ସମୟରେ ପାଣ୍ଡବମାନେ ଏହାଲୁ ପାଇ ମହୋଦଧିରେ ନିକ୍ଷେପ କରିଥିଲେ । ସେହିଦିନ ଠାରୁ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ । ଏହା ବିଶ୍ୱାସ କରାଯାଏ ଯେ ପୁରୀରେ ଏକ ବାତ୍ୟାରେ ନୀଳଚକ୍ର ଉଡ଼ି ଯାଇଥିଲା ଓ ଚକ୍ରତୀର୍ଥରେ ଯାଇ ପଡ଼ିଥିଲା । ଏତଦ୍‌ବ୍ୟତୀତ ସ୍କନ୍ଦପୁରାଣ ଅନୁସାରେ ଏଠାରେ ମହାଦାରୁ ଲାଗିଥିବାର ବର୍ଣ୍ଣନା ରହିଛି ।

ଚକ୍ରତୀର୍ଥ ମନ୍ଦିର :- ଏଠାରେ ଥବା ଏକ ପୋଖରୀ ପୋତି ହୋଇଯିବା ପରେ ଏକ ମନ୍ଦିର ନିର୍ମାଣ କରାଯାଇ ଚକ୍ରନାରାୟଣଙ୍କ ସହ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ପୂଜା କରାଯାଉଛି । ମଝିରେ କଳା ଗ୍ରାନାଇଟରେ ତିଆରି ନାରାୟଣ ମୂର୍ତ୍ତି ଚକ୍ରନାରାୟଣ ଭାବେ ନାମିତ ।

ଏହି ସ୍ଥାନରେ ରହିଛି ଚକ୍ରନୃସିଂହ ମନ୍ଦିର। ଶ୍ରୀ ନୃସିଂହଙ୍କ ତିନିରୂପ ଏଠାରେ ପୂଜିତ ଯଥା:- ଅଭୟ ନୃସିଂହ, ଚକ୍ର ନୃସିଂହ ଓ ଲକ୍ଷ୍ମୀ ନୃସିଂହ । ଶ୍ରୀ ବଳଭଦ୍ରଙ୍କୁ ଅଭୟ ନୃସିଂହ, ଦେବୀ ସୁଭଦ୍ରାଙ୍କୁ ଚକ୍ର ନୃସିଂହ ଓ ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ନୃସିଂହ ଭାବେ ପୂଜା କରାଯାଏ । ପୁରାଣରେ ମଧ୍ୟ ସୃଷ୍ଟିର ପ୍ରଥମ ତିନୋଟି ଶକ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବର୍ଣ୍ଣନା ଅନୁସାରେ ଯଥାକ୍ରମେ ଚକ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଓ ଅଭୟ ନୃସିଂହ ଭାବରେ ଏଠାରେ ବିରାଜିତ । ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ନିକଟରୁ ଏଠାରେ ଥିବା ନୃସିଂହଙ୍କ ନିକଟକୁ ଆଜ୍ଞାମାଳ ଆସେ । ନୃସିଂହ ଜନ୍ମ ପର୍ବ ଏହି ମନ୍ଦିରରେ ଖୁବ ଧୁମଧାମରେ ପାଳିତ ହୁଏ ।

ଏହି ସ୍ଥାନରେ ରହିଛି ଭକ୍ତ ମତ୍ତ ବଳରାମ ଦାଶଙ୍କ ସାଧନ ମନ୍ଦିର। ରଥଯାତ୍ରା ବେଳେ ଅପମାନିତ ହୋଇ ସେ ବାଙ୍କୀ ମୁହାଣ ବାଲିରେ ୩ଟି ରଥ ନିର୍ମାଣ କରି ତିନି ଠାକୁରଙ୍କୁ ସେଥିରେ ବିଜେ କରାଇଥିଲେ । ସ୍ମୃତି ସ୍ୱରୂପ ସାଧନ ମନ୍ଦିର ପରିସରରେ ବାଲିରଥ ରହିଛି । ବଳରାମ ଦାଶଙ୍କ ସମାଧୀ ପୀଠ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି ।

ଚକ୍ରତୀର୍ଥ ସ୍ଥିତ ଚକ୍ରନୃସିଂହ ମନ୍ଦିର ଏହା ହେଉଛି ମହାଲକ୍ଷ୍ମୀଙ୍କ ବାପଘର । ଶ୍ରୀମଦ୍‌ଭାଗବତ ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାରେ ସମୁଦ୍ର ମନ୍ଥନ ବେଳେ ଲକ୍ଷ୍ମୀଙ୍କ ଆବିର୍ଭାବ ବର୍ଣ୍ଣନା ରହିଛି । ଏଠାରେ ଲକ୍ଷ୍ମୀଙ୍କ ପିତା ବରୁଣଙ୍କ ମନ୍ଦିର ଅଛି । ଏହାକୁ ମହାପ୍ରଭୁଙ୍କ ଶ୍ୱଶୁରପୁରୀ ଭାବେ ବର୍ଣ୍ଣନା କରାଯାଇଛି ।

ଦରିଆ ମହାବୀର (ବେଢି ହନୁମାନ) ମନ୍ଦିର ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଅଧୀନସ୍ଥ ଅଟେ । ଉତ୍ତରାଭିମୁଖୀ ହନୁମାନଙ୍କ ଦକ୍ଷିଣହସ୍ତରେ ଗଦା, ବାମହସ୍ତରେ ଲଡୁ ରହିଛି । ବସ୍ତ୍ରଦ୍ୱାରା ବେଢି ହୋଇ ରହିଥିବାରୁ ଏହା ଦୃଷ୍ଟିକୁ ଆସେ ନାହିଁ । ଏହାଙ୍କ ଦକ୍ଷିଣ ପାର୍ଶ୍ୱରେ ଦୁଇଟି ଛୋଟ ହନୁମାନ ବିଗ୍ରହ ଜଗମୋହନରେ ହନୁମାନଙ୍କ ସମ୍ମୁଖରେ ଲକ୍ଷ୍ମୀ, ସାବିତ୍ରୀ ଓ ଗରୁଡ ଅଛନ୍ତି ।

ଚକ୍ରତୀର୍ଥ ର ମୁଖ୍ୟ ପଥରେ ରହିଛି ସୁନାର ଗୌରାଙ୍ଗ :- ଏହି ମନ୍ଦିରର ଠାକୁରଙ୍କ ପ୍ରକୃତ ନାମ ହେଉଛି ଶ୍ରୀଗୌରକିଶୋର ଜୀଉ । ଏଠାରେ ଅଷ୍ଟଧାତୁରେ ନିର୍ମିତ ଶ୍ରୀଗୌରଗୋପାଳ ଜୀଉ ପୂଜା ପୌଛନ୍ତି । ଶ୍ରୀଗୌରାଙ୍ଗଙ୍କ ଦେହର ବର୍ଣ୍ଣ ଗୌର ବା ସୁନାର ହୋଇଥିବାରୁ ତାଙ୍କ ନାମ ସୁନାର ଗୌରାଙ୍ଗ ହୋଇଛି । ଶ୍ରୀଗୌରାଙ୍ଗ ମହାପ୍ରଭୁ ବୈଷ୍ଣବ ସମ୍ପ୍ରଦାୟର ହୋଇଥିବାରୁ ଗୌଡ଼ୀୟ ବୈଷ୍ଣବ ଧର୍ମ ପରମ୍ପରାରେ ପୂଜା ପାଆନ୍ତି । ମଠ ପରିସରରେ ଏକ ପୁଷ୍ପ ସମାଧି ଓ ଶ୍ରୀକିଶୋରାନନ୍ଦଙ୍କ ସମାଧି ରହିଛି ।

Comments are closed.